ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳାଙ୍କ ମଧ୍ୟରେ ପ୍ରଚଳିତ ‘ଖାତ୍‌ନା ପ୍ରଥା’ ଗ୍ରହଣୀୟ ନୁହେଁ- ସୁପ୍ରିମ କୋର୍ଟ

ନୂଆଦିଲ୍ଳୀ: କାହିଁକି ଜଣେ ମହିଳାଙ୍କ ଶାରୀରିକ ଅଖଣ୍ଡତାର ଉଲ୍ଲଂଘନକୁ  ଧର୍ମିକ ଆଚରଣର ପରିସରଭୁକ୍ତ କରାଯିବ? ଏହି  ପ୍ରଶ୍ନ କରିବା ସହିତ ଧର୍ମ ନାମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୧୮ ବର୍ଷରୁ କମ୍‌ ବୟସର ନାବାଳିକାମାନଙ୍କ ଜନନେନ୍ଦ୍ରୀୟରେ କରାଯାଉଥିବା ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର ବା ଖାତନା ପ୍ରଥା ଗ୍ରହଣୀୟ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଯ କରିଛନ୍ତି ଯେ ୧୮ ବର୍ଷରୁ କମ୍‌ ବୟସର ଝିଅର ଗୁପ୍ତାଙ୍ଗ ଛୁଇଁବା ପୋକ୍‌ସୋର ବିଭାନ୍ନ ଧାରା ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ।

ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ଚଳି ଆସିଥିବା ମହିଳାଙ୍କ ଜନନେନ୍ଦ୍ରୀୟ  ଛେଦନ ନେଇ ‘ଖାତ୍‌ନା ପ୍ରଥା’ଏକ କୁସଂସ୍କାର ଉପରେ ଆଧାରିତ ଓ ଏହାର ବନ୍ଦ କରାଯିବା ଉଚିତ ବୋଲି ଆବେଦନକାରିଣୀ ସୁନିତା ତିଓ୍ଵାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଦ୍ୱାରା ଦାଏର ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟରର ମୁଖ୍ୟବିଚାରପତି ଜଷ୍ଟିସ ଦୀପକ ମିଶ୍ର , ଜଷ୍ଟିସ ଏଏମ ଖାନଓ୍ଵିଲକର ଓ ଜଷ୍ଟିିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଗଠିତ ଏକ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି।

ଦାଉଦୀ ବୋହରା ମେନସ ଆସାସିଏସନ୍‌ ଅଫର ରିଲିଜିୟସ ଫ୍ରିଡମ ପକ୍ଷରୁ ଏହି ମୋକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ନାବାଳକମାନଙ୍କ ପରି ଏହି ସମ୍ପ୍ରଦାୟରେ ନାବାଳିକାଙ୍କ ଜନନେନ୍ଦ୍ରୀୟର ’ଖାତ୍‌ନା’ହଜାର ହଜାର ବର୍ଷ ଧରି ଚଳି ଆସୁଛି। ଏହା ଶାରୀରିକ ଭାବେ କୌଣସି କ୍ଷତିକାରକ ନୁହେଁ ବୋଲିି ମନୁ ସିଂଘଭି କହିବା ସହିତ ବ୍ୟକ୍ତିର ଧର୍ମଗତ ମୌଳିକ ଅଧିକାର ଦ୍ୱାରା ଏହାକୁ ସମ୍ବିଧାନ ସୁରକ୍ଷା ମଧ୍ୟ ମିଳିଛି ବୋଲି କହିଥିଲେ। ତେବେ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ନାବାଳିକା ଜନନେନ୍ଦ୍ରୀୟ ନେଇ ସମ୍ପ୍ରଦାୟରେ ଚଳିଆସିଥିବା ଖାତ୍‌ନା ପ୍ରଥା ବନ୍ଦ ହେବା ଉଚିତ। କାରଣ ଏହା ଦ୍ୱାରା ମହିଳାମାନଙ୍କୁ ସାଂଘାତିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ବ୍ୟକ୍ତି ସ୍ୱାଧୀନତାର ପରିପନ୍ଥୀ ହେବା ସହିତ ପୋକସେ୍‌ା ଆକ୍ଟ ଅନଯାୟୀ ଦଣ୍ଡନୀୟ ମଧ୍ୟ। ଏପରିକି ଏହି କାର୍ଯ୍ୟ ଆମେରିକା, ଇଂଲଣ୍ଡ, ଅଷ୍ଟେଲିଆ, ଫ୍ରାନ୍ସ ସହିତ ୨୭ଟି ଆଫ୍ରିକୀୟ ଦେଶରେ ଅପରାଧ ଭାବେ ବିବେଚନା କରାଯାଏ।

ସେହିପରି ବରିଷ୍ଟ ଆଇନଜୀବୀ ଇନ୍ଦିରା ଜୟସିଂହ କହିଥିଲେ ଯେ ଯେଉଁ ନାବାଳିକା ଜଣକ ଏହି ଖାତ୍‌ନା ପ୍ରଥାର ସମ୍ମୁଖୀନ ହୋଇଥାନ୍ତି, ସେମାନଙ୍କ ମନରେ ଦୀର୍ଘ ଦିନ ଧରି ଏହାର କୁପ୍ରଭାବ ରହିଥାଏ।। ତେଣୁ ଏହି ପ୍ରଥା ବନ୍ଦ ହେବା ଉଚିତ। ମନୁସିଂଘଭି ଏହାକୁ ଏକ ୫ ଜଣିଆ ସାମ୍ବିଧାନିକ ବେଞ୍ଚକୁ ପଠାଇାକୁ ଅନୁରୋଧ କରିଥଲେ। ମାତ୍ର ଏହାକୁ ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲ ବିରୋଧ କରିଥିଲେ। ଏଥିରେ ହସ୍ତକ୍ଷେପ କରି  ପ୍ରଚଳିତ ଧାର୍ମିକ ଧାରା ଆଳରେ କାହିଁକି ଜଣେ ମହିଳାଙ୍କ ଜନନେନ୍ଦ୍ରୀୟ ଛୁଇଁବା ପାଇଁ କ୍ଷମତା ମିଳିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ତେବେ ଏ ପ୍ରସଙ୍ଗରେ ଅଧିକ ଶୁଣାଣୀ ପୂର୍ବରୁ ମନୁ ସାଙ୍ଗଭି ଅନ୍ୟ ଏକ ତାରିଖ ଏଥି ପାଇଁ ଧାର୍ଯ୍ୟ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ। ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର