ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ସାଧାରଣରେ ଖୋଲାଖୋଲି କଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହା କର୍ଣ୍ଣାଟକର ବସବରାଜ ବୋମାଇ ସରକାରଙ୍କ ପାଇଁ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ବିବାଦ ସାମାଜିକ ଗଣମାଧ୍ୟମରେ ଜୋରସୋରରେ ଚାଲିଥିବାରୁ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଆରଗା ଜ୍ଞାନେନ୍ଦ୍ର ଆଜି ଏହି ଦୁଇ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ହେବା ନେଇ ସତର୍କ କରାଇ ଦେଇଛନ୍ତି। ଏହାକୁ ଖରାପ ବ୍ୟବହାର ବୋଲି ମଧ୍ୟ ମନ୍ତ୍ରୀ କହିବାକୁ ପଛାଇନାହାନ୍ତି।
ସୂଚନା ମୁତାବକ ମହିଳା ଆଇପିଏସ୍ ଅଫିସର ଡି ରୂପା ମୁଡଗିଲ୍ ଆଇଏଏସ ଅଫିସର ରୋହିଣୀ ସିନ୍ଧୁରୀଙ୍କ କିଛି ବ୍ୟକ୍ତିଗତ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଏଥିସହିତ ଡି ରୂପା ଦାବି କରିଥିଲେ ଯେ ପୁରୁଷ ଆଇଏଏସ ଅଫିସରଙ୍କ ନିକଟକୁ ରୋହିଣୀ ତାଙ୍କର ଫଟୋ ପଠାଇ ଚାକିରି ଆଚରଣ ନିୟମ ଉଲ୍ଲଂଘନ କରିଛନ୍ତି। ଡି ରୁପା ତାଙ୍କର ଫେସବୁକ ପେଜ୍ରେ ଫଟୋଗୁଡ଼ିକୁ ପୋଷ୍ଟ କରିବା ସହିତ ସିନ୍ଧୁରୀ ୨୦୨୧ ଏବଂ ୨୦୨୨ରେ ୩ ଜଣ ଆଇଏଏସ୍ ଅଫିସରଙ୍କୁ ସେୟାର କରିଥିଲେ ବୋଲି ଅଭିଯୋଗ କରିଥିଲେ। ଦିନକ ପୂର୍ବରୁ ମଧ୍ୟ ଆଇଏଏସ ଅଫିସର ସିନ୍ଧୁରୀଙ୍କ ବିରୋଧରେ ଡି ରୂପା ଦୁର୍ନୀତି ଅଭିଯୋଗର ଏକ ଲମ୍ବା ତାଲିକା ପୋଷ୍ଟ କରିଥିଲେ। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏବଂ ମୁଖ୍ୟ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ମଧ୍ୟ ସେ ଏ ନେଇ ଅଭିଯୋଗ କରିଥିଲେ ବୋଲି ଦାବି କରିଛନ୍ତି। ଏଥିରେ ଉତ୍କ୍ଷିପ୍ତ ହୋଇ ସିନ୍ଧୁରୀ ରବିବାର କହିଥିଲେ ଯେ ରୂପା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ସହିତ ବ୍ୟକ୍ତିଗତ ସ୍ତରରେ ବଦନାମ କରିବା ଲାଗି ଅଭିଯାନ ଚଳାଇଛନ୍ତି। ଏଥିପାଇଁ ସେ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଥିଲେ। କିଛି ବରିଷ୍ଠ ଆଇଏଏସ ଅଫିସରଙ୍କ ନିକଟକୁ ମୁଁ ଫଟୋ ପଠାଇଥିବା ଅଭିଯୋଗ ସେ କରିଛନ୍ତି। ତେବେ ସେମାନଙ୍କ ନାମ ପ୍ରକାଶ କରିବାକୁ ସିନ୍ଧୁରୀ ରୁପାଙ୍କୁ ଆହ୍ବାନ କରିଛନ୍ତି।
କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି ଏହି ପ୍ରସଙ୍ଗ ସେ ରାଜ୍ୟ ପୁଲିସ ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ବିଷୟରେ ସଚେତନ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନେ ଏଭଳି ଖରାପ ଢଙ୍ଗରେ ବ୍ୟବହାର କରୁଛନ୍ତି ଯାହା ସାଧାରଣ ଲୋକଙ୍କ ମଧ୍ୟରେ ରାସ୍ତାରେ ବି ଦେଖିବାକୁ ମିଳି ନଥାଏ। ରୂପା ବର୍ତ୍ତମାନ କର୍ଣ୍ଣାଟକ ହସ୍ତଶିଳ୍ପ ବିକାଶ ନିଗମର ଏମ୍ଡି ଭାବେ କାର୍ଯ୍ୟ କରୁଛନ୍ତି। ସିନ୍ଧୁରୀଙ୍କ ନାମ ନ ନେଇ ଜଣେ ଘର ଭାଙ୍ଗୁଥିବା ବ୍ୟକ୍ତିପ୍ରତି କେହି ସମବେଦନା ପ୍ରକାଶ କରିବା ଉଚିତ ନୁହେଁ ବୋଲି ମଧ୍ୟ ରବିବାର ଟ୍ବିଟ କରିଛନ୍ତି। ଏହାର ଜବାବରେ ସିନ୍ଧୁରୀ କହିଛନ୍ତି ମାନସିକ ରୋଗ ଏକ ବଡ଼ ସମସ୍ୟା। ଔଷଧ ସେବନ ଏବଂ କାଉନସେଲିଂ ଜରିଆରେ ଏହାର ଭଲ କରାଯିବା ଆବଶ୍ୟକ।