ନୂଆଦିଲ୍ଲୀ: ମିଥ୍ୟା ପରିଚୟ ଦେଇ ଦିଲ୍ଲୀରେ ରହୁଥିବା ଝାଡ଼ଖଣ୍ଡର ଜଣେ ୨୩ ବର୍ଷୀୟା ମହିଳା ନକ୍ସଲକୁ ପିତମପୁରାରୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ସେ ୨୦୨୦ରୁ ନଏଡା ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରୁଥିଲା। ମୂଳତଃ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର କୁଦାବୁରୁ ଗାଁର ବାସିନ୍ଦା ମହିଳା ଜଣକ ଏନ୍‌କାଉଣ୍ଟର ସମେତ ଅନେକ ପୁଲିସ ମାମଲାରେ ୱାଣ୍ଟେଡ୍ ଥିଲା। ତା’ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ଅସ୍ତ୍ରଶସ୍ତ୍ର ଆଇନ, ବିସ୍ଫୋରକ ଆଇନ ଏବଂ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା। ଝାଡ଼ଖଣ୍ଡର ଏକ ଅଦାଲତ ୨୬ ମାର୍ଚ୍ଚ ୨୦୨୩ରେ ତା’ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିଲେ।

Advertisment

୨୦୨୦ରେ ଦିଲ୍ଲୀରେ ପହଞ୍ଚିବା ପରେ ସେ ମିଥ୍ୟା ପରିଚୟ ଗ୍ରହଣ କରି ଘରୋଇ ସହାୟିକା ଭାବେ କାମ ଆରମ୍ଭ କରିଥିଲା। ସମୟକ୍ରମେ ସେ ପିତମପୁରାରେ ବସବାସ କଲା। ଡେପୁଟି କମିସନର ଅଫ୍ ପୁଲିସ (କ୍ରାଇମ୍) ବିକ୍ରମ ସିଂହଙ୍କ କହିବା ଅନୁଯାୟୀ, ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ଜଣେ ମାଓ ଉଗ୍ରବାଦୀ ଲୁଚି ରହିଥିବା ନେଇ ବିଶ୍ୱସନୀୟ ସୂଚନା ମିଳିବା ପୂର୍ବରୁ କ୍ରାଇମବ୍ରାଞ୍ଚ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ମାସ ମାସ ଧରି ନଜର ରଖିଥିଲା। ମାର୍ଚ୍ଚ ୪ ତାରିଖରେ ପୁଲିସ ଟିମ୍ ପିତମପୁରାର ମହାରାଣା ପ୍ରତାପ ଏନ୍‌କ୍ଲେଭରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ମହିଳା ନକ୍ସଲ ଜଣକ ମାତ୍ର ୧୦ ବର୍ଷ ବୟସରେ ସିପିଆଇ (ମାଓବାଦୀ) ଗୋଷ୍ଠୀରେ ନିଯୁକ୍ତି ପାଇଥିଲା। ରମେଶ ନାମକ ଜଣେ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ସେ ଝାଡଖଣ୍ଡର କୋଲହାନ ଜଙ୍ଗଲରେ ୫ ବର୍ଷର କଠିନ ତାଲିମ ନେଇଥିଲା। ତା’ର ପ୍ରଶିକ୍ଷଣରେ ଇନସାସ ରାଇଫଲ, ଏସ୍‌ଏଲ୍‌ଆର୍‌, ଏଲ୍‌ଏମ୍‌ଜି, ହ୍ୟାଣ୍ଡ୍‌ ଗ୍ରେନେଡ୍‌ ଏବଂ ୦.୩୦୩ ରାଇଫଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳନା ଅନ୍ତର୍ଭୁକ୍ତ ଥିଲା। ୨୦୧୮ରୁ ୨୦୨୦ ମଧ୍ୟରେ ସେ ଝାଡ଼ଖଣ୍ଡ ପୁଲିସ ସହ ତିନୋଟି ସଶସ୍ତ୍ର ସଂଘର୍ଷରେ ସମ୍ପୃକ୍ତ ଥିଲା।  ଏହି ଘଟଣା ପରେ ତାଙ୍କ କମାଣ୍ଡରମାନେ ତାକୁ ଦିଲ୍ଲୀ ପଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଡିସିପି କହିଛନ୍ତି।