ଆଫଗାନରେ ତାଲିବାନର ବର୍ବରତା ବଖାଣିଲେ ମହିଳା ପୁଲିସ ଅଫିସର

ନିର୍ଯାତନା ଦେବା ପରେ ଦୁଇ ଆଖି ତାଡ଼ି ଦେଇଥିଲେ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ ତାଲିବାନର ଅତ୍ୟାଚାର କାହାଣୀ ଥମିବାର ନାଁ ଧରୁନି। ତାଲିବାନର ବର୍ବରତା ସମ୍ପର୍କରେ ଭାରତରେ ରହୁଥିବା ଜଣେ ଆଫଗାନ ମହିଳା ପୁଲିସ ଅଫିସର ଗଣମାଧ୍ୟମକୁ କହିଛନ୍ତି। ଦିଲ୍ଲୀର ଲଜପତ ନଗରରେ ରହୁଥିବା ଆଫଗାନୀ ମହିଳା ହଥିରା ହାସମୀ ୯ ମାସ ପୂର୍ବେ ଭାରତକୁ ଆସିଥିଲେ। ତାଲିବାନମାନେ ତାଙ୍କୁ ନିର୍ଯାତନା ଦେବା ପରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ତା’ପରେ ତାଙ୍କ ଦୁଇ ଆଖି ତାଡ଼ି ଦେଇଥିଲେ। କାରଣ ସେ ପୁଲିସ ବିଭାଗରେ ଚାକିରି କରୁଥିଲେ ଏବଂ ମହିଳାମାନଙ୍କ ସପକ୍ଷରେ କହୁଥିଲେ। ଏହାହିଁ ଥିଲା ତାଙ୍କର ଅପରାଧ।

ତାଲିବାନର କ୍ରୁରତାର ଶିକାର ହୋଇଥିବା ହାସମୀ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ କହିବାବେଳେ ଆଖିରୁ ଲୁହ ଝରାଉଥାନ୍ତି। ସେ ଅଫିସରୁ ଫେରୁଥିବା ବେଳେ ତାଲିବାନମାନେ ତାଙ୍କୁ ବାଟରେ ଅଟକାଇ ତାଙ୍କ ପରିଚୟପତ୍ର ଦେଖିଥିଲେ। ଏହାପରେ ତାଙ୍କୁ ନିସ୍ତୁକ ପିଟିଥିଲେ। ସେ ସଂଜ୍ଞାହୀନ ହୋଇପଡ଼ିବା ପରେ ତାଙ୍କ ଦୁଇ ଆଖି ତାଡ଼ି ଦେଇଥିଲେ। ସେତେବେଳକୁ ସେ ଦୁଇ ମାସର ଗର୍ଭବତୀ ଥିଲେ। ସେ ଚିକିତ୍ସା ପାଇଁ ଦିଲ୍ଲୀ ଚାଲି ଆସିଥିଲେ। ଏଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କର ଆଉ ପାଞ୍ଚ ପୁଅ ଏବେବି ଆଫଗାନିସ୍ତାନରେ ରହୁଛନ୍ତି। ହଥିରାଙ୍କ ଭଳି ହଜାର ହଜାର ମହିଳା ତାଲିବାନ ଆତଙ୍କବାଦୀମାନଙ୍କ ବର୍ବରତାର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର