ମାନିଲା: ଦକ୍ଷିଣ ଫିଲିପାଇନ୍ସରେ ସମୁଦ୍ରରେ ଏକ ଫେରି ବୁଡ଼ିଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଫେରିରେ ୩୫୦ରୁ ଅଧିକ ଲୋକ ଥିଲେ। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୨୧୫ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିଛି ରିପୋର୍ଟରେ ମୃତ୍ୟୁ ସଂଖ୍ୟା ଅଧିକ ଦର୍ଶାଯାଇଛି। କିନ୍ତୁ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।। ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ଫିଲିପାଇନ୍ସ ସରକାରଙ୍କ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପରିବାର ଲୋକେ ନିଖୋଜ ହୋଇଥିବା ସେମାନଙ୍କ ପ୍ରିୟଜନଙ୍କୁ ଖୋଜୁଛନ୍ତି। ତଟରକ୍ଷୀ ବାହିନୀ କହିଛି,ଏମ/ଭି ତ୍ରିଶା କର୍ଷ୍ଟିନ୍-୩ ନାମକ ଏକ ଫେରି ମଝି ସମୁଦ୍ରରେ ଓଲଟି ପଡ଼ିଥିଲା। 

Advertisment

ଏହା ଆଲେସାନ୍ ସିପିଂ ଲାଇନ୍ସ ଦ୍ୱାରା ପରିଚାଳିତ ଏକ ଆନ୍ତଃଦ୍ୱୀପ ମାଲବାହୀ ଓ ଯାତ୍ରୀବାହୀ ଫେରି। ଏହା ଜାମ୍ବୋଆଙ୍ଗାରୁ ବାହାରି ଦକ୍ଷିଣ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପକୁ ଯାଉଥିଲା। ଏଥିରେ ମୋଟ ୩୩୨ ଜଣ ଯାତ୍ରୀ ଓ ୨୭ ଜଣ କ୍ରୁ ସଦସ୍ୟ ଥିଲେ। ଅଧିକାରୀମାନେ କହିଛନ୍ତି, କୌଣସି ଯାନ୍ତ୍ରିକ ଯୋଗୁ ଏଭଳି ଅଭାବନୀୟ ଘଯଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ବାସିଲାନ୍ ପ୍ରଦେଶ ନିକଟରେ ଘଟିଛି। ସେଠାରେ ପାଗ ମଧ୍ୟ ସ୍ୱାଭାବିକ ଥିବା କୁହାଯାଉଛି। ଘଟଣାସ୍ଥଳରେ ଥିବା ବାସିଲାନ୍ ପ୍ରଦେଶ ରାଜ୍ୟପାଳ ମୁଜିଭ୍ ହାଟାମାନ କହିଛନ୍ତି, ଅନେକ ଉଦ୍ଧାର ହୋଇଥିବା ଯାତ୍ରୀ ଓ ଦୁଇ ମୃତଦେହକୁ ପ୍ରଦେଶର ରାଜଧାନୀ ଇସାବେଲାକୁ ଅଣାଯାଇଛି।

ଫିଲିପାଇନ୍ସରେ କାହିଁକି ଫେରି ଦୁର୍ଘଟଣା ଘଟେ?

ଫିଲିପାଇନ୍ସ ଏକ ଦ୍ୱୀପପୁଞ୍ଜ ଦେଶ। ସେଠାରେ ଦ୍ୱୀପପୁଞ୍ଜ ମଧ୍ୟରେ ଫେରି ପରିବହନ ଏକ ମାତ୍ର ମାଧ୍ୟମ। ଫଳରେ ଅଧିକାଂଶ ସମୟରେ ସାମୁଦ୍ରିକ ଦୁର୍ଘଟଣା ଘଟିଥାଏ। ଝଡ଼, ଖରାପ ଜାହାଜ, ଓଭରଲୋଡିଂ ଓ ସୁରକ୍ଷା ନିୟମ ପାଳନରେ ଅଭାବ ଯୋଗୁ ଏଭଳି ଘଟଣା ଘଟିଥାଏ। ସୁଲୁ, ବାସିଲାନ ଓ ଜୋଲୋ ଭଳି ପ୍ରଦେଶରେ ଏଭଳି ଘଟଣା ଅଧିକ ଦେଖାଯାଇଥାଏ।

୩୯ ବର୍ଷ ତଳେ ଘଟିଥିବା ଦୁର୍ଘଟଣା ନେଇଥିଲା ୪୩୦୦ ଜୀବନ

ସୂଚନାଯୋଗ୍ୟ, ଡିସେମ୍ବର ୧୯୮୭ ରେ ଘଟିଥିବା ଡୋନା ପାଜ୍ ଫେରି ଦୁର୍ଘଟଣାକୁ ଫିଲିପାଇନ୍ସର ତଥା ବିଶ୍ୱର ସବୁଠାରୁ ଭୟଙ୍କର ସାମୁଦ୍ରିକ ଦୁର୍ଘଟଣା ବୋଲି ବିବେଚନା କରାଯାଇଥାଏ। ସରକାରୀ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଇନ୍ଧନ ଟ୍ୟାଙ୍କର ସହିତ ଧକ୍କା ହେବା ପରେ ଏକ ଫେରି ବୁଡ଼ି ଯାଇଥିଲା। ଏହି ଘଟଣାରେ ୪,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।