ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ; ଧର୍ମ ପରିବର୍ତ୍ତନର ଶିକାର ହୋଇଥିବା ଶିଖ୍‌ ଯୁବତୀ ଫେରିବେ ପରିବାରକୁ

ନୂଆଦିଲ୍ଲୀ: ଜନୈକା ଅଳ୍ପ ବୟସ୍କା ଶିଖ୍‌ ଯୁବତୀଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ଅପହରଣ କରିନେବା ସେଠାରେ ତାଙ୍କର ଧର୍ମ ପରିବର୍ତ୍ତନ କରାଇ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବଳପୂର୍ବକ ବିବାହ କରାଇଦେବା ଘଟଣାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦର ଶେଷରେ ଆଜି ଅନ୍ତ ଘଟିଛି। ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।

ଏହି ଘଟଣାରେ ଭାରତର ତୀବ୍ର ପ୍ରତିବାଦ ଓ ବିରୋଧ ପରେ ପାକିସ୍ତାନର ରାଜନେତାମାନେ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଏହି ବାବାଦର ସମାଧାନ କରିଛନ୍ତି। ଯୁବତୀ ଓ ତାଙ୍କୁ ବିବାହ କରିଥିବା ଯୁବକର ପରିବାର ମଧ୍ୟରେ ପାକିସ୍ତାନୀ ରାଜନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ମିଳାମିଶା କରାଇ ଦେବାରେ ସମର୍ଥ ହୋଇଛନ୍ତି। ଏବଂ ଯୁବକର ପରିବାର ବର୍ଗ ପୀଡ଼ିତା ଯୁବତୀଙ୍କୁ ସୁରକ୍ଷିତ ଭାରତକୁ ଫେରାଇବାକୁ ରାଜି ହୋଇଛନ୍ତି।

ଏହି ଘଟଣାପରେ ପଞ୍ଜାବ ପ୍ରଦେଶର ରାଜ୍ୟପାଳ ମହମ୍ମଦ ସରଓ୍ଵର ସଂପୃକ୍ତ ପରିବାରର ସଦସ୍ୟମାନଙ୍କ ଗହଣରେ ରେକର୍ଡିଂ କରିଥିବା ଏକ ଭିଡିଓକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିବା ସହ ଲେଖିଛନ୍ତି: ‘ବିଶ୍ୱର ସମସ୍ତ ପାକିସ୍ତାନୀ ଏବଂ ଶିଖ୍‌ ସଂପ୍ରଦାୟ ପାଇଁ ବଡ଼ ଖବର। ନାନ୍‌କାନା ଯୁବତୀଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି। ଯୁବତୀ ଜଣକ ସୁରକ୍ଷିତ ଅଛନ୍ତି। ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରିଛନ୍ତି। ପାକିସ୍ତାନରେ ଆମେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ସୁରକ୍ଷିତ ରଖିଛୁ।’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୧୯ ବର୍ଷ ବୟସ୍କା ଜଗଜିତ୍‌ କୌର ନାମକ ଜନୈକା ଶିଖ୍‌ ଯୁବତୀଙ୍କୁ କିଛି ବ୍ୟକ୍ତି ଅପହରଣ କରିନେବା ସହ ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇବା ସହ ତାଙ୍କର ଧର୍ମ ପରିବର୍ତ୍ତନ କରାଇ ତାଙ୍କର ବିବାହ ଜଣେ ମୁସଲମାନ ଯୁବକଙ୍କ ସହ କରାଇ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉଭୟ ଶିଖ୍‌ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ତୀବ୍ର ବିବାଦର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର