କୋଲକାତା: ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। କିନ୍ତୁ ଏବକାର ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମ ଓ ଦ୍ବିତୀୟ ଲହର ଭଳି ମାରାତ୍ମକ ଲକ୍ଷଣ ଯଥା ଫୁସ୍ଫୁସ୍ ସଂକ୍ରମଣ, ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା, ପ୍ରବଳ କାଶ ଓ ଥଣ୍ଡା ଏବଂ ଗନ୍ଧ ଓ ସ୍ବାଦ ବାରି ନ ପାରିବା ଆଦି ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କୋଭିଡ୍ ସଂକ୍ରମଣର ପ୍ରମୁଖ ଲକ୍ଷଣ ହେଲା ଉଚ୍ଚ ତାପମାତ୍ରାର ଜ୍ବର ବୋଲି କୋଲକାତାର ବିଭିନ୍ନ ଘରୋଇ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି। ବର୍ତ୍ତମାନ ଯେତେ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କଠାରେ ପ୍ରଥମ ଦିନ ମୃଦୁ ଜ୍ବର ଏବଂ ଦ୍ବିତୀୟ ଦିନ ପ୍ରବଳ ଜ୍ବର ହେବାର ଦେଖିବାକୁ ମିଳୁଛି। ଚତୁର୍ଥ ବା ପଞ୍ଚମ ଦିନ କ୍ରମଶଃ ଜ୍ବର କମୁଛି। କେହି ବି ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁନାହାନ୍ତି, ଫୁସ୍ଫୁସ୍ ପ୍ରଦାହ ଭୋଗୁନାହାନ୍ତି କିମ୍ବା କେହି ସ୍ବାଦ ଓ ଗନ୍ଧ ବାରିବା ଶକ୍ତି ହରାଉ ନାହାନ୍ତି। କେବଳ ଯେଉଁମାନଙ୍କର ପୂର୍ବରୁ ଶ୍ବାସଜନିତ ସମସ୍ୟା ଅଛି ସେହିମାନେ ଶ୍ବାସକଷ୍ଟ ଭୋଗୁଛନ୍ତି ବୋଲି ସିଏମ୍ଆର୍ଆଇ ହସ୍ପିଟାଲର ଫୁସ୍ଫୁସ୍ ଓ ଶ୍ବାସନଳୀ ରୋଗ ବିଭାଗ ନିର୍ଦ୍ଦେଶକ ଡ. ରାଜା ଧର କହିଛନ୍ତି। ମୁମ୍ବାଇ ଓ ଦିଲ୍ଲୀର ଅଧିକାଂଶ ରୋଗୀଙ୍କଠାରେ ବି ଏହିପରି ଲକ୍ଷଣ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।
ଆର୍ଏନ୍ ଟାଗୋର ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇନ୍ସେସ୍ର ଇଣ୍ଟେନ୍ସିଭିଷ୍ଟ ସୌରେନ ପାଞ୍ଜା କହିଛନ୍ତି ଯେ ପ୍ରତି ଲହରରେ ଭୂତାଣୁଙ୍କ ମାରାତ୍ମକତା କ୍ରମଶଃ ହ୍ରାସ ପାଉଛି। ବର୍ତ୍ତମାନ ମୃଦୁରୁ ମଧ୍ୟମ ଧରଣର ଜ୍ବର ହିଁ ହେଉଛି କୋଭିଡ୍ର ଲକ୍ଷଣ। କିନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି ଏବଂ ସେମାନଙ୍କଠାରେ ଯଦି ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଆଜ୍ମା ପରି ଅନ୍ୟାନ୍ୟ ସମସ୍ୟା ଥାଏ ତେବେ ସେମାନଙ୍କ ପ୍ରତି ବିପଦର ସମ୍ଭାବନା ରହିଛି ବୋଲି ଡ. ପାଞ୍ଜା କହିଛନ୍ତି। ବର୍ତ୍ତମାନ ଜ୍ବର ହିଁ କୋଭିଡ୍-୧୯ର ପ୍ରମୁଖ ଲକ୍ଷଣ ହେବାର କାରଣ ହେଉଛି ଅଧିକାଂଶ ଲୋକ ଟିକା ନେଇଛନ୍ତି ବୋଲି ପିୟରଲେସ୍ ହସ୍ପିଟାଲର କ୍ଳିନିକାଲ ରିସର୍ଚ୍ଚ ନିର୍ଦ୍ଦେଶକ ଶୁଭ୍ରଜ୍ୟୋତି ଭୌମିକ କହିଛନ୍ତି। ଟିକା ନେଇଥିବା ଯୋଗୁ ଆମ ଦେହରେ ଭୂତାଣୁ ସହ ଲଢ଼େଇ କରିବା ପାଇଁ ଯଥେଷ୍ଟ ଆଣ୍ଟିବଡ଼ି ତିଆରି ହୋଇ ରହିଛନ୍ତି। ଭୂତାଣୁ ଶରୀରରେ ପଶିଲେ ସେହି ଆଣ୍ଟିବଡ଼ିଗୁଡ଼ିକ ତାଙ୍କ ସହ ଲଢ଼େଇ କରିବାକୁ ଯାଇ ନିଜକୁ ବହୁଗୁଣିତ କରନ୍ତି ଏବଂ ତା’ର ପ୍ରତିକ୍ରିୟାରେ ଜ୍ବର ହୁଏ ବୋଲି ସେ କହିଛନ୍ତି। ତେଣୁ ଜ୍ବର ହେଲେ ଏଥିରୁ ବୁଝାଯାଏ ଯେ ଆମର ରୋଗପ୍ରତିରୋଧକ ବ୍ୟବସ୍ଥା ଠିକ୍ଭାବେ କାମ କରୁଛି। ଏହାଫଳରେ ଭୂତାଣୁମାନେ ଆଉ ଫୁସ୍ଫୁସ୍ ଭିତରେ ପ୍ରବେଶ କରିପାରନ୍ତି ନାହିଁ, ତା’ ପୂର୍ବରୁ ଆଣ୍ଟିବଡ଼ିଙ୍କ ଆକ୍ରମଣରେ ଶେଷ ହୋଇଯାନ୍ତି। ତଥାପି କୋଭିଡ୍ ପ୍ରୋଟୋକଲ ମାନିଚାଲିବା ଉଚିତ ବୋଲି ଡ. ଭୌମିକ କହିଛନ୍ତି।
ଦୈନିକ ସଂକ୍ରମଣ ମାମଲାରେ ୪୫% ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଆଜି ୧୭,୦୭୩ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ମାମଲାରେ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୪,୦୭,୦୪୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୧ ଜଣଙ୍କର କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୨୫,୦୨୦ରେ ପହଞ୍ଚିଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୨୭,୮୭,୬୦୬ ଏବଂ ସକ୍ରିୟ ମାମଲା ୯୪,୪୨୦ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୨୧ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍ ହାର ୫.୬୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୩.୩୯ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଇସିଏମ୍ଆର ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,୦୩,୬୦୪ ନମୁନା ପରୀକ୍ଷା ହୋଇଛି। ଦେଶରେ ମୋଟ୍ ୮୬.୧୦ କୋଟି ନମୁନା ପରୀକ୍ଷା ହୋଇଛି। ଅନ୍ୟପକ୍ଷରେ ଦେଶରେ ଟିକାକରଣ ୧୯୭.୧୧ କୋଟି ଟପିଛି।