ଧମକ ଦେଲେ ଫାରୁକ୍‌, ୩୫-କ’ ରାଜନୀତି ଜୋରଦାର

ଲୋକସଭା ଓ ବିଧାନସଭା ନିର୍ବାଚନ ବହିଷ୍କାର କରିବୁ

ଶ୍ରୀନଗର: ଧାରା ୩୫-କ’କୁ ନେଇ ଜମ୍ମୁ କଶ୍ମୀରରେ ରାଜନୀତି ସରଗରମ ହୋଇ ଉଠିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ସହ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟ ଏହି ଧାରା ୩୫-କ ହେତୁ ପ୍ରଭାବିତ ହୋଇପାରେ। ନ୍ୟାସନାଲ କନଫରେନ୍ସ (ଏନ୍‌ସି) ନେତା ଫାରୁକ୍‌ ଅବଦୁଲ୍ଲା ଆଜି ପୁଣିଥରେ ଧମକ ଦେଇ କହିଛନ୍ତି ଯେ ଯଦି ଜମ୍ମୁ କଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ଅଧିକାର ଅନ୍ତର୍ଗତ ଧାରା ୩୫-କ ବାବଦରେ କେନ୍ଦ୍ର ସରକାର କିଛି ସ୍ପଷ୍ଟ ନକରନ୍ତି, ତେବେ ଦଳ ଲୋକସଭା ନିର୍ବାଚନ ବହିଷ୍କାର କରିବ। ଫାରୁକ୍‌ କହିଛନ୍ତି, ଆମେ କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ବରଂ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟ ବହିଷ୍କାର କରିବୁ। ଦୁଇଦିନ ତଳେ ମଧ୍ୟ ଅବଦୁଲ୍ଲା ଏହି ଧାରା ୩୫-କ’କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ଏବଂ ଏ ବାବଦରେ ସ୍ପଷ୍ଟ ନକଲେ ପଞ୍ଚାୟତ ନିର୍ବାଚନ ବହିଷ୍କାର କରିବେ ବୋଲି କହିଥିଲେ। ରାଜ୍ୟ ପ୍ରଶାସନ ଆସନ୍ତା ଅକ୍ଟୋବର ୧ରୁ ପୌର ନିର୍ବାଚନ ଏବଂ ନଭେମ୍ବରରୁ ପଞ୍ଚାୟନ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ଧାରା ୩୫-କ’ ଏବଂ ଧାରା ୩୭୦ ଅନ୍ତର୍ଗତ ସ୍ୱତନ୍ତ୍ର ଅଧିକାର ବଳରେ ରାଜ୍ୟବାସୀଙ୍କୁ ଚାକିରି ଓ ସ୍ଥାବର ସଂପତ୍ତି କ୍ଷେତ୍ରରେ ସୁବିଧାସୁଯୋଗ ମିଳୁଛି। ରାଜ୍ୟରେ ସ୍ଥାବର ସଂପତ୍ତି କ୍ରୟ ପାଇଁ ଅନ୍ୟ ରାଜ୍ୟର ଲୋକଙ୍କୁ ଅନୁମତି ଦିଆଯାଉ ନାହିଁ। କେବଳ ରାଜ୍ୟବାସୀଙ୍କୁ ହିଁ ଏହି ଅନୁମତି ମିଳୁଛି। ତେଣୁ ଏହି ଧାରାକୁ ଉଚ୍ଛେଦ ନକରିବା ପାଇଁ ଦାବି କରି ଫାରୁକ୍‌ ଏଭଳି ଧମକ ଦେଉଛନ୍ତି।

ସମ୍ବନ୍ଧିତ ଖବର