ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଛତିଶଗଡ଼କୁ ପ୍ରଥମ ଦୁଇ ପର୍ଯ୍ୟାୟ ଗସ୍ତ କରିବେ। ‌ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଏପ୍ରିଲ ୧୮ରୁ ୨୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ମହାନଦୀର ଉପରମୁଣ୍ଡରେ ହେବ। ୧୮ ଅପରାହ୍ଣରେ ଟ୍ରିବ୍ୟୁନାଲ ବିମାନଯୋଗେ ରାୟପୁରରେ ପହଞ୍ଚିବେ ଓ ୧୯ରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ। ଏପ୍ରିଲ ୧୯ରୁ ୨୧ ମଧ୍ୟରେ ଟ୍ରିବ୍ୟୁନାଲ ରାୟପୁରରୁ ୧୩୩ ଦୂର ମହାନଦୀର ଉତ୍ପତ୍ତି ସ୍ଥଳ ଫାରସିୟା ଗ୍ରାମ, ସନ୍ଦୁର ନଦୀବନ୍ଧ, ରବିଶଙ୍କର ସାଗର ଜଳାଶୟ, ଉପର ମହାନଦୀ ମୁଖ୍ୟ ଉପଅବବାହିକା ଅଞ୍ଚଳ, ରବିଶଙ୍କର ସାଗର ପ୍ରକଳ୍ପ, ମୁରୁମସିଲି ଡ୍ୟାମ, ଦୁଧୱା ଡ୍ୟାମ ସାଇଟ, ନୂତନ ରୁଦ୍ରି ବ୍ୟାରେଜ, ସିଓନାଥ ଉପଅବବାହିକା, ଧାମଧାସ୍ଥିତ ତିମାରି ମାଇନର ଟ୍ୟାଙ୍କ, ଖଇରାଗଡ଼ସ୍ଥିତ ଉଦୟପୁର ମାଇନର ଟ୍ୟାଙ୍କ, ଖଇରାଗଡ଼ରେ ପ୍ରସ୍ତାବିତ ସିଦ୍ଧ ବାବା ଟ୍ୟାଙ୍କ, ଚୁଇଖଦମସ୍ଥିତ ପିପାରିଆ ଡ୍ୟାମ ପରିଦର୍ଶନ କରିବେ। ୨୨ରେ ଉପର ମହାନଦୀ ମୁଖ୍ୟ ଉପ-ଅବବାହିକା ଅଞ୍ଚଳରେ ଥିବା ସାମୋଦା ବ୍ୟାରେଜ ପରିଦର୍ଶନ ପରେ ସେ ଦିନ ଟ୍ରିବ୍ୟୁନାଲ ଦିଲ୍ଲୀ ଫେରିଆସିବେ।

Advertisment

ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିବେ। ୨୯ ରାତିରେ ଦିଲ୍ଲୀରୁ ରାୟପୁରରେ ପହଞ୍ଚିବେ ଟ୍ରିବ୍ୟୁନାଲ। ଗସ୍ତ ସୂଚୀ ଅନୁସାରେ ଏପ୍ରିଲ ୩୦ରେ ଟ୍ରିବ୍ୟୁନାଲ ଜଙ୍କ୍ ଓ ଉପର ମହାନଦୀ ମୁଖ୍ୟ ଉପଅବାବାହିକା, ବଲ୍ଲାର ଜଳାଶୟ, କାଶଦଲ ଓ ସୀଓରିନାରାୟଣ ବ୍ୟାରେଜ; ମେ ୧ରେ ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ ଦାରୀ ବ୍ୟାରେଜ୍‌; ମେ ୨ରେ ହାସଦେଓ ଓ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବସନ୍ତପୁର ବ୍ୟାରେଜ, ମିରୋନୀ ବ୍ୟାରେଜ, କଲମା ବ୍ୟାରେଜ ଓ ସୁରଜଗଡ଼ ସେତୁ ପରିଦର୍ଶନ କରିବେ। ଦ୍ବିତୀୟ ପର୍ଯ୍ୟାୟ ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିବସ ତଥା ମେ ୩ରେ ଟ୍ରିବ୍ୟୁନାଲ କେଲୋ ପ୍ରକଳ୍ପ ପରିଦର୍ଶନ କରି ସେ ଦିନ ସଂଧ୍ୟାରେ ଝାରସୁଗୁଡ଼ାରୁ ବିମାନଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ‌କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହେବେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ଼ ପକ୍ଷରୁ ରେଜିଷ୍ଟ୍ରାରଙ୍କ ନିକଟରେ କ୍ଷେତ୍ର ପରିଦର୍ଶନର ଚୂଡ଼ାନ୍ତ କାର୍ଯ୍ୟସୁଚୀ ଦାଖଲ କରାଯାଇଛି।