ବେରୁତ: ଇସ୍ରାଏଲ ସେନା କେନ୍ଦ୍ରୀୟ ବେରୁତ ଉପରେ ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ଦକ୍ଷିଣ ଲେବାନନ୍ରେ ଇସ୍ରାଏଲୀ ସ୍ଥଳସେନା ହେଜବୁଲ୍ଲାକୁ ନିପାତ କରିବା ଅଭିଯାନ ଜୋରଦାର କରିଥିବା ବେଳେ ହେଜବୁଲ୍ଲା ମଧ୍ୟ ସବୁ ଶକ୍ତି ଖଟାଇ ଇସ୍ରାଏଲ ସେନାର ମୁକାବିଲା କରୁଥିବା ଦେଖିବାକୁ ମିଳିଛି। ଆଜି ଦକ୍ଷିଣ ଲେବାନନ୍ରେ ୧୫ ଜଣ ହେଜ୍ବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଶତାଧିକ ଆହତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଲେବାନନ୍ରେ ଅତି କମ୍ରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ଲେବାନନ୍ ଉପରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ପରଠାରୁ ଏ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ଲେବାନନ୍ ପ୍ରଧାନମନ୍ତ୍ରୀ ନଜିବ ମିକାଟି କହିଛନ୍ତି। ଗତକାଲିଠାରୁ ଇସ୍ରାଏଲ ବାହିନୀର ଆକ୍ରମଣ ତୀବ୍ର ହୋଇଛି ଏବଂ ଘନ ଜନବସତି ଅଂଚଳକୁ ମଧ୍ୟ ଟାର୍ଗେଟ୍ କରାଯାଉଥିବାରୁ ବିସ୍ଥାପିତଙ୍କ ସଂଖ୍ୟା ବଢ଼ିଚାଲିଛି। ହେଜବୁଲ୍ଲା ସଦସ୍ୟମାନେ ଗତକାଲିଠାରୁ ଗରିଲା ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ସୀମାନ୍ତ ସହର ମାରୁନ୍ ଏଲ୍ ରାସ୍ ନିକଟରେ ଇସ୍ରାଏଲର ତିନୋଟି ମେର୍କାଭା ଟ୍ୟାଙ୍କକୁ ରକେଟ୍ ମାଡ଼ରେ ଧ୍ୱଂସ କରିଛନ୍ତି।
ଇସ୍ରାଏଲ ସେନାର ଜଣେ ଅଧିକାରୀଙ୍କ ସମେତ ଗତକାଲି ୮ ଜଣ ଦକ୍ଷିଣ ଲେବାନନ୍ରେ ନିହତ ହୋଇଥିଲେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଭିଡିଓରେ କହିଛନ୍ତି ଯେ ଆମେ ଇରାନର ‘ଆକ୍ସିସ୍ ଅଫ୍ ଏଭିଲ୍’ ବିରୁଦ୍ଧରେ ଏକ ଜଟିଳ ଯୁଦ୍ଧକୁ ସାମ୍ନା କରୁଛୁ ଏବଂ ସେମାନେ ଆମକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏହା କଦାପି ହେବ ନାହିଁ କାରଣ ଆମେ ଏକାଠି ଲଢ଼ୁଛୁ ଏବଂ ଈଶ୍ବରଙ୍କ ସାହାଯ୍ୟରେ ଆମେ ଏକାଠି ଜିତିବୁ। ଇସ୍ରାଏଲ ଏବଂ ଏହାର ପ୍ରମୁଖ ସହଯୋଗୀ ଆମେରିକା ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କଲେ ଆମେ ଏହାକୁ ଅଟାକାଇବୁ ନାହିଁ।
ହମାସ୍ ସରକାର ମୁଖ୍ୟ, ୨ ଶୀର୍ଷ ନେତାଙ୍କୁ ଗାଜାରେ ନିପାତ କରିଛୁ: ଇସ୍ରାଏଲ
ଜେରୁଜେଲମ୍: ଗାଜାରେ ୩ ମାସ ପୂର୍ବେ ୩ ଜଣ ଶୀର୍ଷ ହମାସ ନେତାଙ୍କୁ ନିପାତ କରାଯାଇଛି ବୋଲି ଆଜି ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଇସ୍ରାଏଲ ସେନା କହିଛି ଯେ ଗାଜା ଷ୍ଟ୍ରିପ୍ରେ ହମାସ୍ ସରକାର ମୁଖ୍ୟ ରାୱହି ମୁସ୍ତାହା ଏବଂ ହମାସ୍ର ରାଜନୈତିକ ବ୍ୟୁରୋର ସୁରକ୍ଷା ବିଭାଗ ଦାୟିତ୍ବରେ ଥିବା ସମେହ ଅଲ ସିରାଜ ଏବଂ କମାଣ୍ଡର ସାମି ଓଦେହକୁ ନିପାତ କରାଯାଇଛି। ମୁସ୍ତାହା ହେଉଛି ହମାସର ସବୁଠାରୁ ଶୀର୍ଷ କାର୍ଯ୍ୟକର୍ତ୍ତା ଏବଂ ହମାସ୍ର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିର୍ଣ୍ଣୟରେ ତା’ର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଥିଲା। ମୁସ୍ତାହା ହମାସ୍ର ଶୀର୍ଷ ନେତା ୟାହ୍ୟା ସିନୱର୍ର ଡାହାଣ ହାତ ବୋଲି କୁହାଯାଉଛି। ୨୦୧୫ରେ ମୁସ୍ତାହାକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ସିରାଜ ହେଉଛି ହମାସ୍ର ପଲିଟିବ୍ୟୁରୋ ସଦସ୍ୟ।
ତେହରାନ: ଇସ୍ରାଏଲ-ଇରାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଆଜି ପ୍ରଘଟ ହୋଇଥିବା ଇରାନର ଏକ ହିଟ୍ ଲିଷ୍ଟ୍ ଆଲୋଡ଼ନ ସୃଷ୍ଟି କରିଛି। ଏକ୍ସରେ ଜାରି ହୋଇଥିବା ଏହି ହିଟ୍ ଲିଷ୍ଟ୍ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୧ ନମ୍ବରରେ ରହିଥିବା ବେଳେ ତାଙ୍କ ପଛକୁ ସେନାମୁଖ୍ୟ ଓ ଗୁଇନ୍ଦା ମୁଖ୍ୟମାନେ ଅଛନ୍ତି। ଇସ୍ରାଏଲର ସାମରିକ ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଇରାନ୍ ଏହି ‘କିଲ୍ ଲିଷ୍ଟ’ ବା ହତ୍ୟା ତାଲିକାରେ ଦେଶର ସମସ୍ତ ପ୍ରମୁଖ ନେତାଙ୍କୁ ରଖିଛି ଏବଂ ମନସ୍ତାତ୍ବିକ ଦୃଷ୍ଟିରୁ ଲଢ଼େଇକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛି। ଏହି ତାଲିକାରେ ଥିବା ଅନ୍ୟ ଉଚ୍ଚ ପଦସ୍ଥ ସାମରିକ ଅଧିକାରୀମାନେ ହେଲେ ସାମରିକ ଗୁଇନ୍ଦା ମୁଖ୍ୟ ଅହରନ ହାଲିଭା, ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ହର୍ଜି ହାଲେଭି ଏବଂ ତାଙ୍କ ଡେପୁଟି ଅମିର ବାରାମ। ଏହା ସହିତ ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ମେଜର ଜେନେରାଲ ଓରି ଗୋର୍ଡିନ୍, ୟେହୁଦା ଫକ୍ସ ଏବଂ ଏଲିଜର ଟୋଲେଡାନୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ହେଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲାକୁ ଇସ୍ରାଏଲ ଯେଭଳି ନିପାତ କଲା ତାହାର ଜବାବରେ ଇରାନ ସିଧାସଳଖ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ କରିପରେ ବୋଲି ଆଶଙ୍କା କରାଯାଉଛି।
ଇରାନ୍ର ହିଟ୍ ଲିଷ୍ଟ୍ ପ୍ରଥମରେ ନେତାନ୍ୟାହୁ
ତାଲିକାରେ ଅଛନ୍ତି ସମସ୍ତ ପ୍ରମୁଖ କମାଣ୍ଡର, ଗୁଇନ୍ଦା ମୁଖ୍ୟ, ଶୀର୍ଷ ରାଜନେତା
ସୂଚନାଯୋଗ୍ୟ, ମଙ୍ଗଳବାର ଇସ୍ରାଏଲ ବିରୋଧରେ ଇରାନ ପକ୍ଷରୁ ହୋଇଥିବା ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ ପରେ ତେଲ୍ ଅବିବ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ଧାରଣ କରିଛି ଏବଂ ମଧ୍ୟପ୍ରାଚ୍ୟରେ ନିର୍ଣ୍ଣାୟକ ଯୁଦ୍ଧ ପରିସ୍ଥିତି ଆସିଯାଇଛି ବୋଲି ସାମରିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।