ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଇଣ୍ଡି ମେଣ୍ଟ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିହାରର କାରାକଟ ଏବଂ ପାଟଳିପୁତ୍ରରେ ପଛକୁ ପଛ ରାଲି କରି ମୋଦୀ କହିଛନ୍ତି, ବିହାର ମାଟି ସାମାଜିକ ନ୍ୟାୟ ପାଇଁ ଲଢ଼େଇକୁ ଏକ ନୂଆ ଦିଶା ପ୍ରଦାନ କରିଛି। ତେବେ ଏହି ମାଟିରେ ମୁଁ ଏହା ଘୋଷଣା କରୁଛି ଯେ ଏସ୍‌ସି, ଏସ୍‌ଟି ଏବଂ ଓବିସି ସମ୍ପ୍ରଦାୟର ଅଧିକାର ଛଡ଼ାଇ ଏହାକୁ ମୁସଲିମଙ୍କୁ ଦେବାପାଇଁ ଇଣ୍ଡି ମେଣ୍ଟ କରିଥିବା ଯୋଜନାକୁ ମୁଁ ପଣ୍ଡ କରିଦେବି। ଇଣ୍ଡି ମେଣ୍ଟକୁ ଅତି ଭୀଷଣ ପ୍ରହାର କରି ମୋଦୀ କହିଛନ୍ତି ସେମାନେ ଭୋଟ୍‌ବ୍ୟାଙ୍କକୁ ସନ୍ତୁଷ୍ଟ କରିବାପାଇଁ ଗୁଲାମୀ ଏବଂ ‘ମୁଜ୍‌ରା’ କରିପାରନ୍ତି। ମୁଜରା ହେଉଛି ଏକ ପାରମ୍ପରିକ ନୃତ୍ୟ ଯାହା ମୋଗଲ ଶାସନ ସମୟରେ ଆରମ୍ଭ ହୋଇଥିଲା। ମୋଦୀଙ୍କୁ କଡ଼ା ଜବାବ ଦେଇ କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି, ଆଜି ମୁଁ ପ୍ରଧାନମନ୍ତ୍ରୀଙ୍କୁ ପାଟିରୁ ‘ମୁଜ୍‌ରା’ ଶବ୍ଦ ଶୁଣିଲି। ମୋଦୀଜୀ ଏହା କି ପ୍ରକାର ମାନସିକତା।

Advertisment

ଆପଣ କାହିଁକି କିଛି ପ୍ରତିକାର ନେଉନାହାନ୍ତି। ଅମିତ ଶାହ ଜୀ ଏବଂ ଜେପି ନଡ୍ଡା ଜୀ ତୁରନ୍ତ ମୋଦୀଙ୍କୁ ଚିକିତ୍ସା କରାଇବା ଉଚିତ। ବୋଧହୁଏ ଅତ୍ୟନ୍ତ ଖରାରେ ଭାଷଣ ଦେବାଦ୍ବାରା ମୋଦୀଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଛି। ଟିଏମ୍‌ସି ସାଂସଦ ସକେତ ଗୋଖେଲ ମଧ୍ୟ ମୋଦୀଙ୍କ ଟିପ୍ପଣୀକୁ ସମାଲୋଚନା କରି କହିଛନ୍ତି, ‘ନାରୀ ଶକ୍ତି’ରୁ ମୋଦୀ ଏବେ ‘ମୁଜରା’ ଶବ୍ଦ ବ୍ୟବହାର କରୁଛନ୍ତି। ମୋଦୀ ନିଜର ସତ ଲୁଚାଇପାରିଲେନି। ଶିବ‌ସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ ଭିଡିଓ କ୍ଲିପ୍‌ ସେୟାର କରି ଲେଖିଛନ୍ତି, ‘ ଖୁବ୍‌ଶୀଘ୍ର ଭଲ ହୋଇଯାଆନ୍ତୁ ମୋଦୀଜୀ’। ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଶିଷ୍ଟାଚାର ରକ୍ଷା କରିବା ଉଚିତ। ଉଲ୍ଲେଖଯୋଗ୍ୟ, ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ ପଂଜାବ ଏବଂ ତେଲେଙ୍ଗାନାରେ କଂଗ୍ରେସ, ତାମିଲନାଡ଼ୁରେ ଡିଏମ୍‌କେ ଏବଂ ପଶ୍ଚିମବଙ୍ଗରେ ଟିଏମ୍‌ସି ଦ୍ବାରା ପ୍ରବାସୀଙ୍କ ବିରୋଧରେ ଦିଆଯାଇଥିବା ଟିପ୍ପଣୀ ପାଇଁ ବିହାରର‌ ଲୋକମାନେ ଆଘାତ ପାଇଛନ୍ତି। ସେହିପରି ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ଆରଜେଡିକୁ ଟାର୍ଗେଟ୍‌ କରି ମୋଦୀ କହିଛନ୍ତି, ନିଜ ଚିହ୍ନ ସହ ‘ମୁଜ୍‌ରା’ କରୁଥିବା ଆରଜେଡିର ଏହା ବିରୋଧରେ ପଦଟିଏ କହିବାର ସାହସ ନାହିଁ।