ନୂଆଦିଲ୍ଲୀ : ସମ୍ବିଧାନର ବିଜ୍ଞପିତ ପଞ୍ଚମ ଅନୁଚ୍ଛେଦ ଅଞ୍ଚଳ ମଧ୍ୟରୁ ୧୦ଟି ରାଜ୍ୟ ମଧ୍ୟରେ ସର୍ବାଧିକ ୧୯ ହଜାର ୩୧୧ ଗାଁ’ ଓଡ଼ିଶାରେ ରହିଛି। ଏହି ତଥ୍ୟ ସଦ୍ୟ ପ୍ରକାଶିତ କେନ୍ଦ୍ର ପଂଚାୟତରାଜ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି।
୧୦ଟି ରାଜ୍ୟରେ ମୋଟ ୭୭୫୬୪ ଗାଁ ଓ ୨୨ ହଜାର ୪୦ ପଂଚାୟତ ପଞ୍ଚମ ଅନୁଚ୍ଛେଦ ଅଞ୍ଚଳରେ ସ୍ଥାନ ପାଇଛି। ସର୍ବାଧିକ ୫ ହଜାର ୨୧୧ ପଂଚାୟତ ମଧ୍ୟ ପ୍ରଦେଶରେ ଅଛି। ରିପୋର୍ଟରେ ଓଡ଼ିଶାରେ ସମୁଦାୟ ୬ ହଜାର ୭୯୮ ଗ୍ରାମପଂଚାୟତ ଥିବା ଉଲ୍ଲେଖ କରାଯାଇଥିବା ବେଳେ ୨ ହଜାର ୬୫୩ ଗ୍ରାମ ପଂଚାୟତରେ ଅଡିଟ୍ ହେବାର ଅଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ସହ ୧୦୧୨ ଗ୍ରାମପଞ୍ଚାୟତରେ ଅଡିଟ କାର୍ଯ୍ୟକ୍ରମ ଥିବା ରିପୋର୍ଟରେ କୁହାଯାଇଛି। ଓଡ଼ିଶାର ୯୯୭ ଗ୍ରାମ ପଂଚାୟତରେ ଜିଓ ଟ୍ୟାଗ ବ୍ୟବସ୍ଥା ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଓଡ଼ିଶା ସମେତ ୨୦ଟି ରାଜ୍ୟରେ ପଂଚାୟତରାଜ ସଂସ୍ଥାମାନଙ୍କରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା କୁହାଯାଇଛି। ମାର୍ଚ ୨୦୨୦ ସୁଦ୍ଧା ରାଜ୍ୟର ପଂଚାୟତ ସଂସ୍ଥାରେ ସମୁଦାୟ ନିର୍ବାଚିତ ପ୍ରତିନିଧିମାନଙ୍କ ସଂଖ୍ୟା ଏକ ଲକ୍ଷ ୭ ହଜାର ୪୮୭ ରହିଥିବାବେଳେ ଏଥିରେ ମହିଳା ନିର୍ବାଚିତ ପ୍ରତିନିଧିମାନଙ୍କ ସଂଖ୍ୟା ୫୩ ହଜାର ୫୫୧ ବୋଲି ଦର୍ଶାଯାଇଛି। ରିପୋର୍ଟରେ ୨୦୨୦-୨୧ରେ ରାଜ୍ୟର ପଂଚାୟତମାନଙ୍କୁ ଓଡ଼ିଆ ଭାଷାରେ ୧୨ ହଜାର ୮୨୦ ଗ୍ରାମୋଦୟ ସଂକଳ୍ପ ପତ୍ରିକା ପଠାଯାଇଥିବା ବାର୍ଷିକ ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Mkg-Banda-gahat-Belguda-village-story-2.jpg)