ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ସୋମବାର ପଞ୍ଚମ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୪୯ ଆସନରେ ଭୋଟ୍ ଗ୍ରହଣ ହେବ। ୬୯୫ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପଞ୍ଚମ ପର୍ଯ୍ୟାୟରେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡ଼ିଶା, ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଭୋଟ୍ ଅଛି। ବିହାରରେ ୫ଟି ଆସନ , ଜମ୍ମୁ କାଶ୍ମୀରରେ ଗୋଟିଏ ଆସନ (ବାରମୂଳା), ଝାଡ଼ଖଣ୍ଡରେ ୩ ଆସନ, ଲଦାଖରେ ୧, ମହାରାଷ୍ଟ୍ରରେ ୧୩, ଓଡ଼ିଶାରେ ୫, ଉତ୍ତରପ୍ରଦେଶରେ ୧୪ ଏବଂ ପଶ୍ଚିମବଙ୍ଗରେ ୭ଟି ଆସନରେ ଭୋଟ୍ ଗ୍ରହଣ ହେବ। ପଞ୍ଚମ ପର୍ଯ୍ୟାୟରେ କେବଳ ୧୨ ପ୍ରତିଶତ ପ୍ରାର୍ଥୀ ମହିଳା ଅଛନ୍ତି। ପଞ୍ଚମ ପର୍ଯ୍ୟାୟରେ ଥିବା ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୮୨ ଜଣ ହେଉଛନ୍ତି ମହିଳା। ୨୩ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଘୋଷଣା କରିଥିବାବେଳେ ୧୮ ପ୍ରତିଶତ ସେମାନଙ୍କ ବିରୋଧରେ ସାଘାଂତିକ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଆଜି ୫ମ ପର୍ଯ୍ୟୟ ପ୍ରଚାର ଶେଷ ଦିବସରେ ଇଣ୍ଡି ମେଣ୍ଟ ଓ ଏନ୍ଡିଏର ନେତାମାନେ ମାରାଥନ ପ୍ରଚାର କରିଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ମେ’ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅଛି। ପଞ୍ଚମ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୬୯୫ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ତେବେ ଏଡିଆର (ଆସୋସିଏସନ୍ ଫର୍ ଡିମୋକ୍ରାଟିକ୍ ରିଫର୍ମ୍ସ) ରିପୋର୍ଟ ଅନୁଯାୟୀ ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୭ ଜଣ (୩୩%) କୋଟିପତି। ସେମାନଙ୍କ ସମ୍ପତ୍ତି ମୂଲ୍ୟ ୧ କୋଟିରୁ ଅଧିକ। ଅନେକ ପ୍ରମୁଖ ଦଳର ସମସ୍ତ ପ୍ରାର୍ଥୀ କୋଟିପତି। ସମାଜବାଦୀ ପାର୍ଟି (ସପା)ରେ ୧୦ରୁ ୧୦ ଜଣ, ଶିବସେନାରେ ୬ରୁ ୬ ଜଣ , ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ)ରେ ୪ରୁ ୪ ଜଣ ଏବଂ ଏନସିପି (ଶରଦ ପାୱାର)ରେ ୨ରୁ ୨ ଜଣ କୋଟିପତି। ଏଥିସହ ବିଜେପିର ୪୦ରୁ ୩୬ ଜଣ (୯୦%), ଶିବେସନା (ଉଦ୍ଧବ ବାଲାସାହେବ ଠାକରେ) ୮ରୁ ୭ ଜଣ (୮୮%), ଏଆଇଟିସିର ୭ରୁ ୬ ଜଣ (୮୬%), ଆଇଏନ୍ସିର ୧୮ରୁ ୧୫ ଜଈ (୮୩%) ବିଜେଡିର ୫ରୁ ୪ ଜଣ (୮୦%) ଏବଂ ଏଆଇଏମଆଇଏମ୍ର ୪ରୁ ୨ ଜଣ ପ୍ରାର୍ଥୀ (୫୦%) ସେମାନଙ୍କର ୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି।
ପଞ୍ଚମ ପର୍ଯ୍ୟାୟରେ ବିଜେପିର ଅନୁରାଗ ଶର୍ମା ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ଉତ୍ତରପ୍ରଦେଶର ଝାନ୍ସୀରୁ ସେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କର ୨୧୨ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି ସେ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ଭିୱାଣ୍ଡି ଆସନରେ ଲଢ଼ୁଥିବା ସ୍ବାଧୀନ ପ୍ରାର୍ଥୀ ନିଳେଶ ଭଗୱାନ ସମ୍ବରେଙ୍କ ସମ୍ପତ୍ତି ମୂଲ୍ୟ ୧୧୬ କୋଟି। ଧନୀ ପ୍ରାର୍ଥୀ ତାଲିକାରେ ସେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର ଆସନରେ ନିର୍ବାଚନ ଲଢ଼ୁଥିବା କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସମ୍ପତ୍ତି ମୂଲ୍ୟ ୧୧୦ କୋଟି। ଚତୁର୍ଥରେ ଅଛନ୍ତି ଏନସିପିର ସୁରେଶ ଗୋପିନାଥ। ତାଙ୍କ ସମ୍ପତ୍ତି ମୂଲ୍ୟ ୧୦୬ କୋଟି। କଂଗ୍ରେସର କ୍ରୀଷ୍ଣା ନନ୍ଦ ତ୍ରିପାଠୀ ଝାଡ଼ଖଣ୍ଡ ଛତ୍ରା ଆସନରୁ ଲଢ଼ୁଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୭୦ କୋଟି। ସେହିପରି ଓଡ଼ିଶାର ବଲାଙ୍ଗିର ଆସନରେ ନିର୍ବାଚନ ଲଢ଼ୁଥିବା ବିଜେପିର ସଂଗୀତା କୁମାରୀ ସିଂହ ଦେଓଙ୍କ ସମ୍ପତ୍ତି ମୂଲ୍ୟ ୬୭ କୋଟି। ସେ ଧନୀ ପ୍ରାର୍ଥୀ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ଗରିବ ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ମହମ୍ମଦ ସୁଲତାନ । ସେ ଜମ୍ମୁ କାଶ୍ମୀରର ବାରମୂଳାରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କର ମାତ୍ର ୬୭ ଟଙ୍କାର ସମ୍ପତ୍ତି ଥିବା ସେ ଘୋଷଣା କରିଛନ୍ତି। ସେହିରିପ ବିହାର ମୁଜାଫରପୁର ଆସନର ମୁକେଶ କୁମାର ତାଙ୍କ ସମ୍ପତ୍ତି ମୂଲ୍ୟ ୭୦୦ ଟଙ୍କା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳିର ସୁରଜିତ ହେମ୍ବ୍ରମ୍ଙ୍କ ଘୋଷିତ ସମ୍ପତ୍ତିର ମୂଲ୍ୟ ୫,୪୨୭। ଜମ୍ମୁ କାଶ୍ମୀର ବାରମୂଳା ଆସନର ସ୍ବାଧୀନ ପ୍ରାର୍ଥୀ ମେହରାଜ ଉଦ୍ଦିନ ନଜରଙ୍କ ସମ୍ପତ୍ତି ମୂଲ୍ୟ ୧୦ ହଜାର ଟଙ୍କା। ଓଡ଼ିଶାର ବରଗଡ଼ ଆସନରେ ନିର୍ବାଚନ ଲଢ଼ୁଥିବା ଦେବିକା ସିକା ତାଙ୍କ ସମ୍ପତ୍ତିର ମୂଲ୍ୟ ୧୦,୨୨୨ ଘୋଷଣା କରିଛନ୍ତି। ସେ ନେସନାଲ ଆପ୍ନା ଦଳର।