ସ୍କୁଲ ଖୋଲିବା ସପକ୍ଷରେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ୫୫ ଡାକ୍ତର

ନୂଆଦିଲ୍ଲୀ : ବର୍ତ୍ତମାନ ସ୍କୁଲଗୁଡ଼ିକ ଖୋଲିବା କାହିଁକି ଦରକାର ସେ ସମ୍ପର୍କରେ ୫୫ ଜଣ ଡାକ୍ତର ଓ ଶିକ୍ଷାବିତ୍ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚିଠି ଲେଖି ଜଣାଇଛନ୍ତି। ଏଥିରେ ବିଶେଷତଃ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଉପରେ ଅଧିକ ଜୋର୍‌ ଦିଆଯାଇଛି।

ସ୍କୁଲଗୁଡ଼ିକ ବନ୍ଦ ରହିବା ଯୋଗୁ କ’ଣ କ୍ଷତି ଘଟୁଛି ସେ ବିଷୟରେ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଛୋଟ ପିଲାମାନଙ୍କର କୋଭିଡ୍‌-୧୯ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା କମ୍ ଥିବାବେଳେ ସ୍କୁଲ ବନ୍ଦ ରହିବା ଯୋଗୁ ସେମାନଙ୍କର ବହୁତ କ୍ଷତି ଘଟୁଛି। ଏହି ଚିଠିରେ ଲେଖାଯାଇଛି, ସ୍କୁଲ ଖୋଲିବା ପୂର୍ବରୁ ପିଲାମାନେ ଟିକା ନେବା ଜରୁରି ନୁହେଁ କାରଣ ଆମେରିକାର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ଯୋଗୁ ୨୫ ବର୍ଷରୁ କମ୍ ବୟସ୍କଙ୍କ ମୃତ୍ୟୁ ଆଶଙ୍କା ଏକଦଶମାଂଶ ଥାଏ। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଛୋଟ ପିଲାଙ୍କ ସମେତ ପ୍ରାୟ ଦୁଇତୃତୀୟାଂଶ ଲୋକ ଏ ଭୂତାଣୁଙ୍କ ପ୍ରଭାବରେ ଆସିସାରିଲେଣି। ‘ଜୀବନ ଆଗ, ଶିକ୍ଷା ପଛ’ ଆଳ କରି ସ୍କୁଲ ବନ୍ଦ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଯେ, ପିଲାମାନଙ୍କୁ ଏ ରୋଗ ସଂକ୍ରମଣ ହେବାର ଆଶଙ୍କା ବହୁତ କମ୍। ଅପରପକ୍ଷେ ଶିକ୍ଷାରେ କ୍ଷତି ହେଲେ ତାହା ଅବଶିଷ୍ଟ ଜୀବନରେ ବେକାରି, ଦାରିଦ୍ର୍ୟ, ପୁଷ୍ଟିହୀନତା ଆଦିର କାରଣ ହେବ। ତେଣୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସ୍କୁଲ ଖୋଲିବାକୁ ଅନୁମତି ଦେଇ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରେ ବୋଲି ଉକ୍ତ ଚିଠିରେ ଲେଖାଯାଇଛି।

ସମ୍ବନ୍ଧିତ ଖବର