ଦେଶରେ ୩ ମାସ ଭିତରେ ପ୍ରସ୍ତୁତ ହେବ ୫୦ ମଡୁଲାର ହସ୍ପିଟାଲ୍‌

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଶୁ ମୁକାବିଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ଦୁଇରୁ ତିନି ମାସ ଭିତରେ ୫୦ଟି ଅଭିନବ ମଡୁଲାର ଡାକ୍ତରଖାନା ପ୍ରସ୍ତୁତ କରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସଂଚାଳନ ଭିତ୍ତିଭୂମି ଦୃଷ୍ଟିରୁ ଏହି ମଡୁଲାର ଡାକ୍ତରଖାନାଗୁଡ଼ିକ କୌଣସି ସ୍ଥାନରେ ପୂର୍ବରୁ ରହିଥିବା ଅନ୍ୟ ଡାକ୍ତରଖାନାକୁ ଲାଗି ସ୍ଥାପିତ ହେବ। ପ୍ରତି ଡାକ୍ତରଖାନା ପିଛା ପ୍ରାୟ ୩ କୋଟି ବ୍ୟୟ ଅଟକଳ କରାଯାଇଥିବା ବେଲେ ପ୍ରତିଟି ଡାକ୍ତରଖାନାରେ ଉତ୍ସର୍ଗୀକୃତ ଆଇସିୟୁ ସୁବିଧା ରହିବ ବୋଲି ଜଣାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାପର୍ଶଦାତା କେ ବିଜୟ ରାଘବନ୍‌ଙ୍କ କାର୍ଯ୍ୟାଳୟ ଦ୍ବାରା ପ୍ରଥମେ ଏହାର ପରିକଳ୍ପନା କରାଯାଇଥିବା ବେଳେ ଏହା ମୁଖ୍ୟତଃ ରାଜ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା ଓ ଲୋକପ୍ରିୟ ଡାକ୍ତରଖାନା ନିକଟରେ ସ୍ଥାପନ କରାଯିବ। ଯେଉଁ ସରକାରୀ ଡାକ୍ତରଖାନାରେ ବିଦ୍ୟୁତ୍‌ ଓ ଜଳଯୋଗାଣ ସାଙ୍ଗକୁ ଅମ୍ଳଜାନ ଯୋଗାଣ ପରି ମୌଳିକ ସୁବିଧା ଉପଲବ୍‌ଧ ଥିବ ସେଠାରେ ଏପରି ୨୦, ୫୦ ଓ ୧୦୦ ଶଯ୍ୟା ବିଶିଷ୍ଟ ମଡୁଲାର ଡାକ୍ତରଖାନା ସ୍ଥାପନ କରାଯାଇପାରିବ ବୋଲି କୁହାଯାଇଛି। ବିଶେଷ କରି ଦେଶର ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରେ ରହିଥିବା ସ୍ବାସ୍ଥ୍ୟସେବା ଜନିତ ଭିତ୍ତିଭୂମି ଶୂନ୍ୟସ୍ଥାନକୁ ଏହା ପୂରଣ କରିବ ବୋଲି ଆଶା କରାଯାଉଛି। ଏପରି ୧୦୦ ଶଯ୍ୟା ବିଶିଷ୍ଟ ପ୍ରଥମ ଦଫା ମଡୁଲାର ଡାକ୍ତରଖାନା ପ୍ରଥମେ ଛତିଶଗଡ଼ର ବିଳାସପୁର, ମହାରାଷ୍ଟ୍ରର ଅମରାବତୀ, ପୁଣେ ଓ ଜାଁଳା ଓ ପଞ୍ଜାବର ମୋହାଲିରେ ସ୍ଥାପିତ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର