ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ, ମିସନ ଲାଇଫ୍‌ ପୂରା ବିଶ୍ବ ପାଇଁ ପଥ ପ୍ରଦର୍ଶକ ହେବ

ନୂଆଦିଲ୍ଲୀ : ଗୁଜରାଟର କେବାଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ମିସନ ଲାଇଫ୍‌ କାର୍ଯ୍ୟକମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବର ବିଭିନ୍ନ ଦେଶର ରାଷ୍ଟ୍ର ଏବଂ ଶାସନମୁଖ୍ୟମାନେ ପ୍ରଶଂସା କରିଛନ୍ତି। ଫ୍ରାନ୍ସଠାରୁ ଆରମ୍ଭ କରି ବ୍ରିଟେନ, ଆର୍ଜେଣ୍ଟିନା, ଜର୍ଜିଆ, ଗୁଏନା, ମାଡାଗାସକର, ମରିସସ, ଇସ୍ତୋନିଆ, ନେପାଳ, ମାଳଦୀପ ଆଦିର ନେତାମାନେ ମୋଦୀଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ମିସନ ଲାଇଫ କାର୍ଯ୍ୟକ୍ରମ ସାରା ବିଶ୍ବର ନେତୃତ୍ବ ନେବ। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା କ୍ଷେତ୍ରରେ ଭାରତ ନେଇଥିବା ପଦକ୍ଷେପ ଗୁଡ଼ିକ ମଧ୍ୟରେ ଜାତିସଂଘ ଏବଂ ଅନ୍ୟ ଅନ୍ତର୍ଜାତୀୟ ମଞ୍ଚରେ ଏହା ମୁଖ୍ୟ କାର୍ଯ୍ୟକ୍ରମ ଭାବେ ପ୍ରଦର୍ଶିତ କରାଯିବ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କ ବାର୍ତ୍ତାରେ କହିଛନ୍ତି, ସାରା ବିଶ୍ବ ଯେତେବେଳେ ଭୌଗୋଳିକ ଏବଂ ରାଜନୈତିକ ଉତ୍ତେଜନା ଦେଇ ଗତି କରୁଛି ସେତେବେଳେ ବିଭେଦ ପରିବର୍ତ୍ତେ ସହଯୋଗକୁ ପସନ୍ଦ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଭାରତ ସହିତ ମିଶି ଫ୍ରାନ୍ସ କାର୍ଯ୍ୟ କରିବା ଏବଂ ଏହି ଅଭିଯାନକୁ ସଫଳ କରିବା ଲାଗି ଫ୍ରାନ୍ସ ଉଦ୍ୟମ କରିବ ବୋଲି ମାକ୍ରନ କହିଛନ୍ତି। ‌

‌ମିସନ ଲାଇଫ୍‌କୁ ବ୍ରିଟେନ ମଧ୍ୟ ପୂର୍ଣ୍ଣ ସମର୍ଥନ କରିବା ସହ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛି। ଗତବର୍ଷ ଗ୍ଲାସଗ୍ଲୋଠାରେ ଏକ ଗୁରୁତ୍ବପୂର୍ଣ୍ଣ ଜଳବାୟୁ ରାଜିନାମା ସ୍ବାକ୍ଷର ହୋଇଛି। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ଅର୍ଥନୀତିକୁ ସୁରକ୍ଷା ଦେବାଲାଗି ଗଣତାନ୍ତ୍ରିକ ଦେଶଗୁଡ଼ିକ ନିଶ୍ଚିତଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ଜଳବାୟୁ ଭିତ୍ତିଭୂମି ସ୍ଥାପନ କରିବାରେ ଆମେ ଭାରତ ଭଳି ସହଯୋଗୀ ଦେଶ ସହିତ ମିଶି ନିବେଶ କରୁଛୁ ବୋଲି ସେ ମତ ଦେଇଛନ୍ତି।

‌ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବାରେ ଏହା ଏକ ପଥ ପ୍ରଦର୍ଶନକାରୀ ପଦକ୍ଷେପ। ଏହି ଆନ୍ଦୋଳନକୁ ସହଯୋଗ କରିବା ଲାଗି ନେପାଳକୁ ସୁଯୋଗ ଦିଆଯାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ କହିଛନ୍ତି, ପଲିସି ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ଜରିଆରେ ପୃଥିବୀକୁ ରକ୍ଷା କରିବା ପର୍ଯ୍ୟାପ୍ତ ନୁହେଁ। ବ୍ୟକ୍ତିଗତ ସ୍ତରରେ ଜୀବ‌ନଶୈଳୀ ଏବଂ ସାମୂହିକ ସ୍ତରରେ ବ୍ୟବହାରରେ ଏଥିପାଇଁ ପରିବର୍ତ୍ତନ ଆବଶ୍ୟକ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଉକ୍ତ ଅଭିଯାନକୁ ସେ ଦୃଢ଼ଭାବେ ସମର୍ଥନ କରିଛନ୍ତି।

ସେହିଭଳି ମାଳଦୀପ ରା‌ଷ୍ଟ୍ରପତି ଇବ୍ରାହିମ ମହମଦ ସୋଲିହ, ମାଡାଗାସ୍କର ରାଷ୍ଟ୍ରପତି ଆଣ୍ଟ୍ରି ରଜୋଇଲିନା, ଗୁଏନା ରାଷ୍ଟ୍ରପତି ଇରଫାନ ଅଲ୍ଲୀ, ଜର୍ଜିଆ ପ୍ରଧାନମନ୍ତ୍ରୀ ଇରାକ୍‌ଲି ଗରିବସଭିଲ୍ଲି, ଇସ୍ତୋନିଆ ପ୍ରଧାନମନ୍ତ୍ରୀ କାଜା କଲାସ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପ୍ରଂଶସା କରି ବାର୍ତ୍ତମାନ ପଠାଇଛନ୍ତି। ପୂରା ବିଶ୍ବପାଇଁ ମିସନ ଲାଇଫ୍‌ ପଥ ପ୍ରଦର୍ଶକ ହେବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର