କରୋନା ବିରୋଧରେ ସେନାର ଯୁଦ୍ଧ ଘୋଷଣା ‘ଅପ‌େରସନ୍‌ ନମସ୍ତେ’

ନୂଆଦିଲ୍ଲୀ: ଦେଶ ଉପରେ ଯେତେବେଳେ ବି ସଙ୍କଟର ସମୟ ଆସିଥାଏ ସେନା ସବା ଆଗରେ ରହି ପରିସ୍ଥିତି ସମ୍ଭାଳିଥାଏ। ଏବେ ଦେଶପାଇଁ କରୋନା ଭାଇରସ୍‌ ମହାସଙ୍କଟ ଭାବେ ସାମ୍ନାକୁ ଆସିବାପରେ ଏହାର ମୁକାବିଲା ପାଇଁ ସେନା ଦାୟିତ୍ବ ନେଇଛି। ଭାରତୀୟ ସେନା କରୋନା ବିରୋଧରେ ‘ଅପରେସନ୍‌ ନମସ୍ତେ’ ଆରମ୍ଭ କରିଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି, ଏବେ ଛୁଟି ଉପରେ କଟକଣା ଲଗାଯାଇଛି। ୨୦୦୧ ମସିହାରେ ଅପରେସନ୍‌ ପରାକ୍ରମ ସମୟରେ ୮ରୁ ୧୦ ମାସ ପର୍ଯ୍ୟନ୍ତ କେହି ଛୁଟି ନେଇନଥିଲେ। ସେତେବେଳେ ଯେଭଳି ଆମର ବିଜୟ ହୋଇଥିଲା ଏବେ ‘ଅପରେସନ୍‌ ନମସ୍ତେ’ରେ ମଧ୍ୟ ଆମେ ସଫଳ ହେବୁ ବୋଲି ସେ କହିଛନ୍ତି। ସେନାମୁଖ୍ୟ କହିଛନ୍ତି ‌ଯେ, ସାଂଗଠନିକ ଢାଞ୍ଚା ଏବଂ ଉନ୍ନତ ତାଲିମ ‌ଯୋଗୁଁ ‌‌‌ଯେ କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ଆମେ ସକ୍ଷମ। ଏହାକୁ ଦୃଷ୍ଟିରେ ରଖି ୨-୩ଟି ପର୍ଯ୍ୟାୟରେ ଉପଦେଶାବଳୀ ଜାରି କରାଯାଇଛି। ପର୍ଯ୍ୟବେକ୍ଷଣ ଏବଂ କ୍ବାରାଣ୍ଟିନ୍‌ ଶିବିର କ୍ଷମତା ବଢ଼ାଇ ଦିଆଯାଇଛି। ସମସ୍ତ ସେନା ହସ୍ପିଟାଲ୍‌ରେ ୬ ଘଣ୍ଟା ମଧ୍ୟରେ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅତିରିକ୍ତ ୪୫ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍‌ ୱାର୍ଡ ସ୍ଥାପନ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର