କରୋନା ଭାଇରସ୍‌ ମୁକାବିଲା, ସାର୍କ ରାଷ୍ଟ୍ର ଏକଜୁଟ ହେବାକୁ ମୋଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ଦିଗରେ ସମସ୍ତ ସାର୍କ ରାଷ୍ଟ୍ରର ନେତୃବୃନ୍ଦ ଏକଜୁଟ ହୋଇ ମିଳିତ ରଣନୀତି ପ୍ରସ୍ତୁତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆହ୍ବାନ ଦେଇଛନ୍ତି। ‌ମୋଦୀ ଆଜି ସକାଳେ ଏକ ଟ୍ବିଟ୍‌ କରି କହିଥିଲେ ବିଶ୍ବ ଏବେ କରୋନା ଭାଇରସ୍‌ ସହ ଲଢ଼ୁଛି। ବିଭିନ୍ନ ସ୍ତରରେ ସରକାର ଏବଂ ଜନସାଧାରଣ କରୋନା ମୁକାବିଲା ଦିଗରେ ଯ‌ଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଦକ୍ଷିଣ ଏସିଆ କରୋନା ମୁକାବିଲା ଦିଗରେ କୌଣସି ଗୋଟିଏ ବି ପଦକ୍ଷେପ ହାତଛଡ଼ା କରିବା ଉଚିତ୍ ନୁହେଁ ବୋଲି ମୋଦୀ କହିଛନ୍ତି। ମୋଦୀ ଏକ ପ୍ରସ୍ତାବ ଦେଇ କହିଛନ୍ତି, ବିଶ୍ବବ୍ୟାପୀ କରୋନା ଯୋଗୁଁ ୫୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ସାର୍କ ନେତୃବୃନ୍ଦ କରୋନା ମୁକାବିଲା ଦିଗରେ ଏକ ଦୃଢ଼ ରଣନୀତି ପ୍ରସ୍ତୁତ କରିବା ଦରକାର। ଆମ ନାଗରିକମାନଙ୍କୁ ସୁସ୍ଥ ରଖିବାପାଇଁ ଆମେ ଭିଡିଓ କନ୍‌ଫରେନ୍ସ ଦ୍ବାରା ‌ଆଲୋଚନା କରିବା ବୋଲି ମୋଦୀ କହିଛନ୍ତି। ତେ ମୋଦୀଙ୍କର ଏହି ପ୍ରସ୍ତାବକୁ ଭାରତର ୪ଟି ପଡ଼ୋଶୀ ରାଷ୍ଟ୍ର ତଥା ମାଳଦ୍ବୀପ, ଶ୍ରୀଲଙ୍କା, ନେପାଳ ଏବଂ ଭୂଟାନ ସ୍ବାଗତ କରିଛନ୍ତି ଏବଂ ଏହାକୁ ଗ୍ରହଣ କରିଛନ୍ତି। ମାଳଦ୍ବୀପ, ଶ୍ରୀଲଙ୍କା, ନେପାଳ ଏବଂ ଭୁଟାନର ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମୋଦୀଙ୍କର ଏହି ପ୍ରସ୍ତାବକୁ ଶୀର୍ଷ ପଦକ୍ଷେପ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର