କେବଳ ଟୀକା ଓ ଔଷଧ ମାଧ୍ୟମରେ କରୋନାକୁ ଜିତିହେବ, ୧ ବର୍ଷ ମଧ୍ୟରେ ଟୀକା ବାହାର କରିବାକୁ ଭାରତ ଉଦ୍ୟମ କରୁଛି

ନୂଆଦିଲ୍ଲୀ : କରୋନା ଭାଇରସ ବିରୋଧୀ ଲଢେଇକୁ କେବଳ ଟୀକା ଓ ଔଷଧ ମାଧ୍ୟମରେ ଜିତିହେବ । ସାଧାରଣତଃ ଗୋଟିଏ ରୋଗର ଟୀକା ବାହାର କରିବାକୁ ୧୦ରୁ ୧୫ ବର୍ଷ ସମୟ ଲାଗେ । କିନ୍ତୁ ୧ ବର୍ଷ ମଧ୍ୟରେ ଟୀକା ବାହାର କରିବାକୁ ଭାରତ ଉଦ୍ୟମ କରୁଛି ବୋଲି କହିଛନ୍ତି ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ.ବିଜୟରାଘବନ । ସେ କହିଛନ୍ତି ଯେ କରୋନା ଭାଇରସର ମୌଳିକ ପ୍ରକୃତିରେ ଏ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।

ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ଶିଳ୍ପଜଗତ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଟୀକା ଉଦ୍ଭାବନ ଲାଗି ଗବେଷଣା ଜାରି ରଖିଛନ୍ତି । ପ୍ରାୟ ୩୦ଟି ଦଳ ଏହି ଗବେଷଣା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଟି ଗ୍ରୁପର ଗବେଷଣା ଅନେକ ଅଗ୍ରଗତି ହାସଲ କରିଛି । ସେହିପରି ଏଆଇସିଟିଇ ଓ ସିଏସଆଇଆର ପକ୍ଷରୁ ଔଷଧ ଉଦ୍ଭାବନ ପାଇଁ ଏକ ଉଚ୍ଚସ୍ତରୀୟ ହାକାଥନ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟେସନାଲ ଡ୍ରଗ ଡିସ୍କଭରୀ କ୍ଷେତ୍ରରେ ତାଲିମ ଦିଆଯାଉଛି ।

ଏହି ଅବସରରେ ନିତି ଆୟୋଗର ସ୍ୱାସ୍ଥ୍ୟ ସମ୍ପର୍କିତ କମିଟିର ସଦସ୍ୟ ଡ.ଭି.କେ.ପାଲ କହିଛନ୍ତି ଯେ ଭାରତରେ କରୋନା ଟୀକା ଉଦ୍ଭାବନ ସମ୍ଭାବନା ଉଜ୍ଜଳ । କାରଣ ଭାରତର ବୈଜ୍ଞାନିକ ଓ ଗବେଷଣା ଭିତ୍ତିଭୂମି ସୁଦୃଢ ରହିଛି । ଫାର୍ମସୁଟିକାଲ୍ସ କ୍ଷେତ୍ରରେ ଭାରତ ବିଶ୍ୱରେ ବେଶ ଅଗ୍ରଣୀ । ଭାରତୀୟ ଔଷଧଗୁଡ଼ିକ ସମଗ୍ର ବିଶ୍ୱରେ ବ୍ୟବାହର କରାଯାଏ ।

ସମ୍ବନ୍ଧିତ ଖବର