ମମତା ବିରୋଧୀ ଲଢ଼େଇ: ବିଜେପିକୁ ସିପିଏମ୍‌ କର୍ମୀଙ୍କ ନିରବ ସମର୍ଥନ

କୋଲକାତା: ପଶ୍ଚିମବଂଗରେ ମମତା ବାନାର୍ଜୀଙ୍କୁ ଏଥର ଲୋକସଭା ନିର୍ବାଚନରେ କଡ଼ା ଟକ୍କର ଦେଉଛି ବିଜେପି। ତେବେ ତୃଣମୂଳସ୍ତରରେ ବିଜେପିର ସଂଗଠନକୁ ରୋକିବା ଏବଂ ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଟିଏମ୍‌ସି କର୍ମୀମାନେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ସାଂଗଠନିକ ଦୃଷ୍ଟିରୁ ଦୁର୍ବଳ ବିଜେପି ଏହାର ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଏବେ ଏହି ପ୍ରୟାସକୁ ସିପିଏମ୍‌ କର୍ମୀଙ୍କ ନିରବ ସମର୍ଥନ ମିଳୁଥିବା ଦେଖାଯାଇଛି। ପଶ୍ଚିମବଂଗରେ ଏଥର କଂଗ୍ରେସ ଏବଂ ବାମଦଳମାନଙ୍କ ଅପେକ୍ଷା ଟିଏମ୍‌ସି ବିରୋଧରେ ବିଜେପି ହିଁ ଜୋର୍‌ଦାର ପ୍ରଚାର ଚଳାଇଛି। ତଳସ୍ତରରେ ସିପିଏମ୍‌ କର୍ମୀମାନେ ବିଜେପିର ପ୍ରଚାରରେ ଅପ୍ରତ୍ୟାଶିତ ସହଯୋଗ କରୁଥିବା ନେଇ କେତେକ ରିପୋର୍ଟ ସାମ୍ନାକୁ ଆସିଛି। ଅନେକ ଅଂଚଳରେ ବୁଥ୍‌ ଏବଂ ୱାର୍ଡସ୍ତରରେ ସିପିଏମ୍‌ କର୍ମୀମାନଙ୍କୁ ଟିଏମ୍‌ସି ଦ୍ବାରା ଧମକ ମିଳୁଥିବାରୁ ସେମାନେ ବିଜେପିକୁ ପୋଲିଂ ବୁଥ୍‌ ପରିଚାଳନା ଏବଂ ଘରକୁ ଘର ବୁଲି ପ୍ରଚାରରେ ସହଯୋଗର ହାତ ବଢ଼ାଇଛନ୍ତି। ପଶ୍ଚିମବଂଗରେ ଦୀର୍ଘ ୩୪ ବର୍ଷର ବାମପନ୍ଥୀ ଶାସନର ପରିସମାପ୍ତି ପରେ ଟିଏମ୍‌ସିର ଆକ୍ରମଣାତ୍ମକ ରାଜନୀତି ଯୋଗୁଁ ବାମପନ୍ଥୀଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଏଭଳି ସ୍ଥିତିରେ ବିଜେପିକୁ ସମର୍ଥନ କରିବାକୁ ସିପିଏମ୍‌ କର୍ମୀମାନେ ପଛାଉନାହାନ୍ତି। ମମତା ଏ ସଂପର୍କରେ ଅବଗତ ହେବାପରେ ତ୍ରୁଣମୂଳ କର୍ମୀଙ୍କୁ ଏ ନେଇ ସତର୍କ ରହିବାକୁ କହିଛନ୍ତି। ଅନ୍ୟପକ୍ଷରେ ସିପିଏମ୍‌ ନେତାମାନେ ମଧ୍ୟ କୌଣସି ପରିସ୍ଥିତିରେ ବି ବିଜେପିକୁ ସମର୍ଥନ ନକରିବା ପାଇଁ କର୍ମୀମାନଙ୍କୁ ଚେତାଇ ଦେଇଛନ୍ତି। ବିଜେପିକୁ ସମର୍ଥନ ଦେଲେ ସେମାନେ ତ୍ରିପୁରାରେ ଯେଭଳି ସ୍ଥିତି ସୃଷ୍ଟି କରିଛନ୍ତି, ପଶ୍ଚିମବଂଗରେ ମଧ୍ୟ ତାହାର ପୁନରାବୃତ୍ତି ଘଟାଇବେ ବୋଲି ସିପିଏମ୍‌ ନେତାମାନେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର