ନୂଆଦିଲ୍ଲୀ : ପାଟନା ସ୍ଥିତ ବିହାର ରାଜ୍ୟ ସମବାୟ ମାର୍କେଟିଙ୍ଗ୍ ୟୁନିଅନ ଲିମିଟେଡ୍ କାଉଣ୍ଟର ବାହାରେ ଏବେ ଲମ୍ବା ଧାଡ଼ି ଲାଗୁଛି। କାରଣ ଏଠାରେ ପିଆଜ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। ପାଟନାରେ ପିଆଜ କିଲୋ ୭୦-୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଲୋକେ ୩୫ ଟଙ୍କାରେ ପିଆଜ କିଣିବାପାଇଁ କାଉଣ୍ଟର ଆଗରେ ପ୍ରବଳ ଭିଡ଼ ଜମାଉଛନ୍ତି। ଏଥିପାଇଁ କିଛି ସ୍ଥାନରେ ଦଳାଚକଟା ମଧ୍ୟ ହୋଇଛି। ତେଣୁ ପିଆକ ବିକ୍ରି ଦାୟିତ୍ବରେ ଥିବା କର୍ମଚାରୀମାନେ ଏବେ ହେଲମେଟ୍ ପିନ୍ଧି ପିଆଜ ବିକୁଛନ୍ତି। ସମବାୟ କର୍ମଚାରୀମାନେ କହିଛନ୍ତି ଯେ କିଛି ସ୍ଥାନରେ ପଥର ମାଡ଼ ଏବଂ ମାର୍ପିଟ୍ ମଧ୍ୟ ହୋଇଛି। ଆମକୁ କୌଣସି ସୁରକ୍ଷା ଦିଆଯାଇନାହିଁ। ତେଣୁ ନିଜ ସୁରକ୍ଷା ପାଇଁ ଆମେ ହେଲମେଟ୍ ପିନ୍ଧୁଛୁ ବୋଲି ସେମାନେ କହିଛନ୍ତି। ତେବେ ଏହି ସବୁ କାଉଣ୍ଟରମାନଙ୍କରୁ ଜଣ ପିଛା କେବଳ ୨ କିଲୋ ପିଆଜ ଦିଆଯାଉଛି । ଅନ୍ୟପକ୍ଷେ ଝିଅ ବାହାଘର ପାଇଁ ଜଣେ ବ୍ୟକ୍ତି ୨୫ କିଲୋ ପିଆଜ କିଣିପାରିବେ। କିନ୍ତୁ ଏଥିପାଇଁ ବାହାଘର କାର୍ଡ ଦେଖାଇବାକୁ ପଡ଼ିବ। ଗ୍ରାମାଞ୍ଚଳରେ ମଧ୍ୟ ରିହାତି ଦରରେ ପିଆଜ ଦେବାକୁ ଏବେ ଯୋଜନା ହେଉଛି।
ପିଆଜ ପାଇଁ ଦଳା ଚକଟା ଭୟ, ହେଲମେଟ୍ ପିନ୍ଧି ବିକିଲେ
/sambad/media/post_attachments/wp-content/uploads/2019/11/onion.jpg)