ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲ୍ଲାରେ ପାଣି ଯୋଗାଣକୁ କେନ୍ଦ୍ର କରି ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଛି । ଆଜି ଦୁଇ ଗୋଷ୍ଠୀର ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଦଙ୍ଗାକାରୀମାନେ ଶତାଧିକ ଦୋକାନ ପୋଡ଼ି ଦେଇଛନ୍ତି ଏବଂ ସହରରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଜଳ ଯୋଗାଣକୁ କେନ୍ଦ୍ର କରି ଔରଙ୍ଗାବାଦ୍ର ଗାନ୍ଧୀନଗର ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏହି ହିଂସା ଆରମ୍ଭ ହୋଇଥିବା ବେଳେ ଗତରାତିରୁ ଏହା ବିଭିନ୍ନ ଅଂଚଳକୁ ବ୍ୟାପୀ ଯାଇଛି । ହିଂସାକାଣ୍ଡ ରୋକିବା ପାଇଁ ସ୍ପର୍ଶକାତର ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଆଜି ସହରର ଅର୍ଦ୍ଧାଧିକ ଅଂଚଳରେ ଧାରା ୧୪୪ ଜାରି ହୋଇଥିବା ବେଳେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି। ହିଂସାକାଣ୍ଡ ସମୟରେ ଅନେକ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଔରଙ୍ଗାବାଦ୍ ପୁଲିସ କମିସନର ମିଲିନ୍ଦ୍ ଭାରାମ୍ବେ କହିଛନ୍ତି ଯେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ଗତକାଲି ଔରଙ୍ଗାବାଦ୍ର ମୋତିକରଞ୍ଜ ଅଞ୍ଚଳରୁ ଏହି ହିଂସା ଆରମ୍ଭ ହୋଇଥିଲା। ଏକ ସ୍ଥାନୀୟ ମ୍ୟୁନିସିପାଲ୍ ଅଫିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବେଆଇନ ଜଳ ସଂଯୋଗ ହଟାଇବାପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଜଳ କଷ୍ଟ ସମୟରେ ଏଭଳି ପଦକ୍ଷେପକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଥିଲେ ଏବଂ ହିଂସା ଆରମ୍ଭ ହୋଇଥିଲା। ରାତି ୧୦ଟାରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ଆଖି ପିଛୁଳାକେ ଅନ୍ୟ ସାରା ସହରକୁ ବ୍ୟାପୀ ଯାଇଥିଲା।
ହରିଦ୍ୱାରରେ ଦଳିତ ଯୁବକଙ୍କୁ ମାରିଦେଲେ
ହରିଦ୍ୱାର: ପାଣି ପାଇଁ ଜଣେ ଦଳିତ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଆଜି ହରିଦ୍ୱାରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହରିଦ୍ୱାରର ଝାବ୍ରେଦା ବ୍ଲକ୍ ଅନ୍ତର୍ଗତ ହଟଶ୍ୟାମପୁର ଗ୍ରାମର ଜଣେ ଯୁବକ ବେଦ ପାଲ୍ ଚାଷ କାର୍ଯ୍ୟପାଇଁ ଗ୍ରାମର ଏକ କେନାଲ୍ରୁ ପାଣି ବ୍ୟବହାର କରିବାରୁ ତାଙ୍କୁ ସେହି ଗ୍ରାମର ଉଚ୍ଚ ଜାତିର କିଛି ବ୍ୟକ୍ତି ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ବେଦପାଲଙ୍କ ପୁଅ ବିକାଶଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଗ୍ରାମରେ ବ୍ୟାପକ ପୁଲିସ ମୁତୟନ ହୋଇଛି ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ଗ୍ରାମବାସୀମାନେ ଏବେ ଦଳିତ ଯୁବକଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି। ଦଳିତମାନେ ଚାଷ ପାଇଁ ପାଣି ନେଲେ ସେମାନଙ୍କୁ ଆକ୍ରମଣ କରାଯାଉଥିବା ସ୍ଥାନୀୟ ଦଳିତ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ବେଦପାଲ୍ ଏବଂ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ଗୁଳିକାଣ୍ଡରେ ଆହତ ହୋଇଛନ୍ତି। ପୁଲିସ ବିକାଶଙ୍କ ଶବ ବ୍ୟବଚ୍ଛେଦ କରାଇଛି। ତେବେ ଗ୍ରମାବାସୀମାନେ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଅଟକାଇ ସେମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ ଦାବି କରିଥିଲେ ଏବଂ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ହରିଦ୍ୱାର ଏସ୍୍ପି ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ନିୟନ୍ତ୍ରଣକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/1526111770-1024.jpg)