ଶ୍ରୀନଗର: ଜମ୍ମୁ କଶ୍ମୀରରେ ପାକିସ୍ତାନ ଆଜି ଲଗାତାର ତୃତୀୟ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ଆଜଜି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ତିନି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ସୁରକ୍ଷା ବାହିନୀ ମୁଖପାତ୍ରଙ୍କ କହିବା ଅନୁଯାୟୀ ପାକ୍ ସେନା ଆଜି କ୍ରୀଷ୍ଣା ଘାଟି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଅଚାନକ ଗୁଳିବର୍ଷା ଆରମ୍ଭ କରିଥିଲା। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥିଲା। ଆଜି ପାକ୍ ଗୁଳିମାଡ଼ରେ ଜଣେ ଯବାନ୍ ସହିଦ ହୋଇଥିବା ବେଳେ ବିଗତ ୩ ଦିନରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏଲ୍ଓସିରେ ଥିବା ଭାରତୀୟ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ପାକିସ୍ତାନ ମୋର୍ଟାର ମାଡ଼ କରୁଥିବାରୁ ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୀମା ନିକଟସ୍ଥ ପ୍ରାୟ ୨୨ଟି ଗ୍ରାମର ବାସିନ୍ଦା ପାକ୍ ଆକ୍ରମଣରୁ ବର୍ତ୍ତିବା ପାଇଁ ସୁରକ୍ଷିତ ଆଶ୍ରୟରେ ରହିଛନ୍ତି। ଅସ୍ଥାୟୀ ବଙ୍କରରେ ଶତାଧିକ ଲୋକ ରହିଥିବା ବେଳେ ସେନା ଦ୍ୱାରା ସ୍ଥାପିତ ଶିବିରକୁ ମଧ୍ୟ ଲୋକଙ୍କୁ ଅଣାଯାଉଛି। ଜଣେ ବିଏସଏଫ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ପାକିସ୍ତାନ ରେଞ୍ଜର୍ସମାନେ ଚେନାବ ନଦୀଠାରୁ ଆରଏସ ପୁରା ପର୍ଯ୍ୟନ୍ତ ସୀମାନ୍ତ ଗ୍ରାମଗୁଡ଼ିକୁ ଟର୍ଗେଟ୍ କରିଛନ୍ତି। ପରିସ୍ଥିତି ସଂଗୀନ ରହିଥିବାରୁ ସୀମାନ୍ତ ଗ୍ରାମଗୁଡ଼ିକରୁ ପ୍ରାୟ ୧୦,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ସୀମାବର୍ତ୍ତୀ ଅଂଚଳର ସବୁ ସ୍କୁଲ ବନ୍ଦ ରଖାଯାଇଛି। ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଆରଏସ ପୁରା, ସାମ୍ବା ଏବଂ କାଠୁଆରେ ହୋଇଥିବା ଅସ୍ଥାୟୀ ଶିବିରରେ ଲୋକଙ୍କୁ ରଖାଯିବ ବୋଲି ଜଣାପଡ଼ିଛି । ୩୦ଟି ଭାରତୀୟ ପୋଷ୍ଟ୍ ଏବଂ ୨୨ଟି ସୀମାନ୍ତ ଗ୍ରାମ ପାକ୍ ରେଞ୍ଜର୍ସଙ୍କ ଟାର୍ଗେଟ୍ରେ ରହିଥିବାରୁ ସୁରକ୍ଷା ବନ୍ଦୋବସ୍ତ ବଢ଼ାଇ ଦିଆଯାଇଛି । ପାକିସ୍ତାନକୁ ଭାରତୀୟ ସେନା ଭାରୀ ଯୁଦ୍ଧାସ୍ତ୍ରରେ ଆଜି ଜବାବ ଦେଇଛି। ପାକ୍ ଗୁଳିରେ ଆଜି ସହିଦ ହୋଇଥିବା ୨୩ ବର୍ଷୀୟ ସିପାହୀ ମନଦୀପ ସିଂହଙ୍କ ଘର ପଞ୍ଜାବ୍ ସଙ୍ଗରୁର୍ର ଆଲମପୁର୍ରେ । ପାକ୍ ସେନାର ପ୍ରଥମ ଦିନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ବିଏସଏଫ୍ ଯବାନ ସହିଦ ହୋଇଥିବାବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଦ୍ୱିତୀୟ ଦିନରେ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଯବାନ ସହିଦ ହୋଇଥିଲେ। ଆଜି ୩ ଜଣ ସାଧାରଣ ନାଗରିକଙ୍କ ସହ ଜଣେ ଯବାନ ସହିଦ ହେବାପରେ ଏଲ୍୍ଓସି ସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଏଭଳି ଗୁଳିବର୍ଷା ଜାରି ରଖିଥିବା ଜଣାପଡ଼ିଛି ।