ନୌସେରାରେ ହିଂସା, ୩୦ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନୌସେରା ସେକ୍ଟରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ପାଇଁ ଦୀର୍ଘ ଦିନର ଦାବି ଆଜି ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପଥର ଫିଙ୍ଗିିଥିବା ବେଳେ ପୁଲିସ ମଧ୍ୟ ଲାଠିମାଡ଼ କରିଥିଲା। ଏଥିରେ ୬ଜଣ ପୁଲିସ୍‌ କର୍ମୀଙ୍କ ସମେତ ମୋଟ ୩୦ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ମିଳିଥିବା ଖବର ମୁତାବକ, ନୌସେରାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଜନତା ଆନ୍ଦୋଳନ କରି ଆସୁଥିବା ବେଳେ ରାଜ୍ୟ ସରକାର ତାହାକୁ କର୍ଣ୍ଣପାତ କରିନାହାନ୍ତି। ଫଳରେ ଆଜି ଶହ ଶହ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ରାଜପଥ ବନ୍ଦ କରିଦେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିବାରୁ ସେମାନେ ପଥରମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ପୁଲିସ୍‌ ଲୁହବୁହା ଗ୍ୟାସ୍‌ ଓ ପାଣିମାଡ଼ କରିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ର ପଦକ୍ଷେପକୁ ବିରୋଧ କରି ଗାଡ଼ିିମୋଟର ପୋଡ଼ାଜଳା କରିଥିଲେ। ପୁଲିସ୍‌ ବାଧ୍ୟ ହୋଇ ଲାଠିଚାର୍ଜ କରିବାରୁ ଘଟଣାସ୍ଥଳ ଆଜି ରଣକ୍ଷେତ୍ର ପାଲଟି ଯାଇଥିଲା।

ବଡ଼ଗାମ୍‌ରେ ଲସ୍କର ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ କଶ୍ମୀରର ବଡ଼ଗାମ୍‌ ଜିଲ୍ଲାରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛି। ଅପରପକ୍ଷେ, ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ସମୟରେ ଜଣେ ସ୍ଥାନୀୟ ମହିଳା ଚାଲି ଆସିବାରୁ ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପୁଲିସ୍‌ ତଲାସି ଅଭିଯାନ ଜାରି ରଖିଛି। ମୃତ ଆତଙ୍କବାଦୀ ଜଣକ ବାରମୁଳା ଜିଲ୍ଲାର ସଫତ୍‌ ହୁସେନ ଓ୍ଵାନୀ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଏକ ଦଳ ବଡ଼ଗାମ୍‌ ଜିଲ୍ଲା ବୀରଓ୍ଵା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ଏହା ଜାଣିପାରି ଘଟଣାସ୍ଥଳରୁ ଆତଙ୍କବାଦୀମାନେ ଚମ୍ପଟ ମାରୁଥିବା ବେଳେ ସେମାନଙ୍କ ଉପରକୁ ଯବାନମାନେ ଗୁଳିମାଡ଼ କରିଥିଲେ। ଏଥିରେ ହୁସେନ୍‌ ଓ୍ଵାନୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଖସିଯିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର