ଦିଲ୍ଲୀରେ ପାର୍କିଂକୁ ନେଇ ଝଗଡ଼ା;ରାସ୍ତା ଉପରେ ଯୁବକଙ୍କୁ ପିଟିପିଟି ହତ୍ୟା: ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ଗାଜିଆବାଦ ଅଞ୍ଚଳରେ ଥିବା ଏକ ଭୋଜନାଳୟ ବାହାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଝଗଡ଼ା ହେବାରୁ ଗତକାଲି (ମଙ୍ଗଳବାର) ରାତିରେ ଜଣେ ୩୫ ବର୍ଷିୟ ଯୁବକଙ୍କୁ ବିଚ୍‌ ରାସ୍ତା ଉପରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଜଣେ ପଥଚାରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭୟଙ୍କର ଅପରାଧର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ବରୁଣ ନାମକ ଜଣେ ୩୫ ବର୍ଷିୟ ଯୁବକ ଭୋଜନାଳୟ ନିକଟରେ ରହୁଥିଲେ ଏବଂ ସେଠାରେ ଦୁଗ୍ଧ ବ୍ୟବସାୟ ଚଳାଉଥିଲେ। ବରୁଣଙ୍କ ପିତା ଦିଲ୍ଲୀ ପୁଲିସର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବରୁଣ ଗତକାଲି ରାତିରେ ଭୋଜନାଳୟ ବାହାରେ ତାଙ୍କ କାର ପାର୍କିଂ କରିଥିଲେ। ତାଙ୍କ କାରଟି ଏପରି ଭାବରେ ପାର୍କିଂ କରାଯାଇଥିଲା ଯେ ଏହା ପାଖରେ ଥିବା ଗାଡିର କବାଟ ଖୋଲାଯାଇ ପାରିବ ନାହିଁ। ଏହାକୁ କେନ୍ଦ୍ର କରି ବରୁଣ ଏବଂ ଅନ୍ୟ ଏକ କାରରେ ଥିବା କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ  ଏହା ହାତାହାତିରେ ପରିଣତ ହୋଇଥିଲା ଏବଂ ବରୁଣଙ୍କ ଉପରେ ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା।

ଭାଇରାଲ ହୋଇଥିବା ଏହି ଅପରାଧର ଭିଡିଓରେ ଦେଖିବାକୁ ମିଳିଛି ଯେ ବରୁଣଙ୍କୁ ଆକ୍ରମଣ କରିଥିବା ଯୁବକମାନେ ତାଙ୍କୁ ଘେରି ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଇଟାରେ ବରୁଣଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏହି ଆକ୍ରମଣ ଘଟଣାରେ ଗୁରୁତର ହୋଇଥିବା ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ଡାକ୍ତରଖାନା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସର୍ବସାଧାରଣରେ ଏହି ହତ୍ୟାକାଣ୍ଡ ଗାଜିଆବାଦରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ କହିଛି ଯେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ପାଞ୍ଚଟି ଦଳ ସଂପୃକ୍ତ ଅଭିଯୁକ୍ତକୁ ଖୋଜୁଛନ୍ତି। ତେବେ ମୃତକଙ୍କ ସମ୍ପର୍କୀୟମାନେ ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରିବା ସହ ସ୍ଥାନୀୟ ପୁଲିସ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର