ନଦୀରେ ଗାଧୋଇବାବେଳେ ଭିଡ଼ିନେଲା କୁମ୍ଭୀର, ପାଣିରେ ଲଢେଇ କଲେ ୭୦ ବର୍ଷୀୟ ମହିଳା

ଭଦୋଦରା:ନଦୀ କୂଳରେ ଗାଧୋଉଥିବାବେଳେ ୭୦ ବର୍ଷୀୟ ମହିଳାଙ୍କୁ ପାଣି ଭିତରକୁ ଭିଡ଼ିନେଲା କୁମ୍ଭୀର | ତେବେ ମହିଳାଜଣକ ସାହସ ନ ହରାଇ କୁମ୍ଭୀର ସହ ପାଣି ଭିତରେ ଲଢେଇ କରିଥିଲେ | କିଛି ସ୍ଥାନୀୟ ଯୁବକ ମହିଳାଙ୍କୁ ଉଦ୍ଧାର କରିଥିଲେ ବି ପ୍ରବଳ ରକ୍ତସ୍ରାବ ଯୋଗୁଁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ମହିଳା ଓ କୁମ୍ଭୀରଙ୍କ ଲଢେଇର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଏହି ଘଟଣାଟି ଗୁଜୁରାଟର ବାଢ଼ୋଦିଆ ତହସିଲ ଅନ୍ତର୍ଗତ ଗୋରଜ ଗାଁର ଦେବ ନଦୀରେ ଘଟିଥିଲା |

Photo-Oneindia

ମିଳିଥିବା ସୂଚନା ମୁତାବକ ୭୦ ବର୍ଷୀୟ ଜାଭେରବେନ ଲକ୍ଷ୍ମଣଭାଇ ପାରମାର ନାମକ ମହିଳା ଜଣକ ଦେବ ନଦୀରେ ଗାଧୋଇବାକୁ ଆସିଥିଲେ | ତେବେ ଏହି ସମୟରେ ଏକ କୁମ୍ଭୀର ଆସି ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା | ମହିଳାଜଣକ ସାହସ ନ ହରାଇ ଜୀବନ ବଞ୍ଚାଇବାକୁ ଲଢ଼ିଥିଲେ |

ତେବେ ମହିଳାଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଯୁବକ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲେ | ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଏହି ଘଟଣା ବାବଦରେ ଜାଣିବା ପରେ ବନ ବିଭାଗ ପକ୍ଷରୁ ଏବେ ତନାଘନା କରାଯାଉଛି |

ସମ୍ବନ୍ଧିତ ଖବର