ଗଣତନ୍ତ୍ର ଦିବସ ପରେଡରେ ଯୁଦ୍ଧବିମାନ ଉଡ଼ାଇ ଇତିହାସ ରଚିବେ ମହିଳା ପାଇଲଟ୍ ଭାବନା, ସାକାର ହେବ ପିଲାଦିନର ସ୍ବପ୍ନ

ନୂଆଦିଲ୍ଲୀ: ଆସନ୍ତାକାଲି ପୂରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ  ଆଉ ଏହି ଐତିହାସିକ ଦିବସରେ ଜାତୀୟ ପରେଡରେ ଇତିହାସ ରଚିବେ ବିହାରୀ ଝିଅ ଭାବନା କାନ୍ତ । କାହିଁକି ନା ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ ଭାବେ ସେ ଉଡାଇବେ ବାୟୁସେନାର ଯୁଦ୍ଧ ବିମାନ ।

ଭାରତୀୟ ବାୟୁସେନା ଏଥର ଗଣତନ୍ତ୍ର ଦିବସରେ ଅନେକ ଯୁଦ୍ଧ ବିମାନ ପ୍ରଦର୍ଶନ କରିବ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ  ତେଜସଠାରୁ ଆରମ୍ଭ କରି ବିଦେଶୀ ରାଫେଲ୍ ଓ ସୁଖୋଇ ୩୦ ଭଳି ଯୁଦ୍ଧ ବିମାନ ଆକାଶରେ ନିଜର ବୀରତ୍ୱ ଦେଖାଇବେ । ଭାରତୀୟ ବାୟୁସେନା ଏଥିପାଇଁ ଫାଇଟର ପାଇଲଟମାନଙ୍କର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି  ଆଉ ଏହି ଟିମରେ ସାମିଲ ଅଛନ୍ତି ମହିଳା ପାଇଲଟ୍ ଭାବନା କାନ୍ତ । ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ ସେ ଦିଲ୍ଲୀ ପରେଡରେ ଅଂଶଗ୍ରହଣ କରିବେ ।

ଭାବନାଙ୍କର ପିଲାଟି ଦିନରୁ ପରେଡରେ ଭାଗ ନେବାର ଆଗ୍ରହ ଥିଲା । ଏବେ ତାଙ୍କର ଏହି ସ୍ବପ୍ନ ସାକାର ହେବାର ଅବସର ଆସିଛି । ବାୟୁସେନାରେ ଅନ୍ୟ ଯୁଦ୍ଧ ବିମାନ ସହିତ ରାଫେଲ୍ ଆଉ ସୁଖୋଇ ଯୁଦ୍ଧ ବିମାନକୁ ଉଡାଇବା ତାଙ୍କର ପସନ୍ଦ।

ଭାବନାଙ୍କ ଜନ୍ମ ବିହାରର ଦରଭଙ୍ଗା ଜିଲ୍ଲାରେ । ତାଙ୍କର ପିଲାଦିନ ମଧ୍ୟ ସେଠାରେ କଟିଛି । ତେବେ ଆଗକୁ ପଢିବା ପାଇଁ ସେ ବାଙ୍ଗାଲୋର ଚାଲିଆସିଥିଲେ । ସେଠାରେ ଭାବନା ଇଂଜିନିୟରିଂ ପଢିଥିଲେ । ୨୦୧୫ରେ ଭାରତୀୟ ବାୟୁସେନା ନିଜର ଫାଇଟର ଷ୍ଟ୍ରିମରେ ମହିଳାଙ୍କୁ ସାମିଲ କରିବାକୁ ଘୋଷଣା କରିଥିଲା । ବାସ୍ ସେତିକି ବେଳେ ବାୟୁସେନାରେ ସାମିଲ ହୋଇଯାଇଥିଲେ ଭାବନା । ସେବେଠାରୁ ସେ ବାୟୁସେନାରେ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ କାମ କରୁଛନ୍ତି । ତେବେ ପ୍ରଥମ କରି ସେ ଗଣତନ୍ତ୍ର ଦିବସରେ ଯୁଦ୍ଧ ବିମାନ ଉଡାଇବା ସହ ଇତିହାସ ରଚିବେ।

ସମ୍ବନ୍ଧିତ ଖବର