ଭାରତ ହେବ ପ୍ରତିରକ୍ଷା ଉତ୍ପାଦନ ପେଣ୍ଠସ୍ଥଳୀ, ନିର୍ମାଣ ହେବ ଯୁଦ୍ଧ ବିମାନ, ହେଲିକପ୍ଟର, ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଭାରତରେ ଏକ ବିଶାଳ ପ୍ରତିରକ୍ଷା ଉତ୍ପାଦନକାରୀ ଶିଳ୍ପ ଗଢ଼ିଉଠିବ। ସ୍ୱଦେଶୀ ଜ୍ଞାନକୌଶଳରେ ଯୁଦ୍ଧ ବିମାନଠାରୁ ଆରମ୍ଭ କରି ହେଲିକପ୍ଟର ଓ ଯୁଦ୍ଧାସ୍ତ୍ର ଆଦି ନିର୍ମାଣ କରାଯିବ। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ୬ଟି ଶ୍ରେଷ୍ଠ ଯୁଦ୍ଧାସ୍ତ୍ର ପେଣ୍ଠସ୍ଥଳୀରେ ପରିଣତ ହେବ। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଯୋଜନା ହାତକୁ ନେଇଥିବା ବେଳେ ଆସନ୍ତା ମାସରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନୀତି ଉନ୍ମୋଚନ କରାଯିବ ବୋଲି ଜଣାପଡ଼ିଛି। ଅଧିକାରୀଙ୍କ କହିବାନୁସାରେ ଏହି ପ୍ରତିରକ୍ଷା ଉତ୍ପାଦନ ନୀତି (ଡିପିପି-୨୦୧୮)କୁ ଏବେ ଚୂଡ଼ାନ୍ତ ସ୍ପର୍ଶ ଦିଆଯିବା ନେଇ ପ୍ରକ୍ରିୟା ଚାଲିଛି। ଫଳରେ ଖୁବ୍‌ଶୀଘ୍ର ଏହାକୁ କ୍ୟାବିନେଟ୍‌ ମଞ୍ଜୁରି ପାଇଁ ଆଗତ କରାଯିବ। ଡିପିପି-୨୦୧୮ ଅନୁସାରେ ଭାରତରେ ଏକ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ସାମରିକ ବିନିର୍ମାଣ ପ୍ଲାଟ୍‌ଫର୍ମ ସ୍ଥାପନ କରିବା ଲାଗି ପର୍ଯ୍ୟାପ୍ତ ନିବେଶ କରାଯିବ। ଫଳରେ ସ୍ୱଦେଶୀ ଜ୍ଞାନକୌଶଳରେ ଏଠାରୁ ଯୁଦ୍ଧ ବିମାନ, ଆକ୍ରମଣକାରୀ ହେଲିକପ୍ଟର, ବିଭିନ୍ନ ଯୁଦ୍ଧାସ୍ତ୍ର ଉତ୍ପାଦନ କରାଯିବ। ୨୦୨୫ ସୁଦ୍ଧା ସାମରିକ ସାମଗ୍ରୀ ଓ ସେବା କ୍ଷେତ୍ରରେ ସରକାର ୧,୭୦,୦୦୦ କୋଟି ଟଙ୍କାର କାରବାର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଗତ ୬ ଦଶନ୍ଧି ଧରି ଭାରତ ଯେଉଁସବୁ ସାମଗ୍ରୀ ଆମଦାନି କରୁଛି, ତାହା ସବୁ ଏହି ପ୍ରସ୍ତାବିତ ପେଣ୍ଠସ୍ଥଳୀରେ ନିର୍ମାଣ କରାଯିବ। ସ୍ୱିଡେନ୍‌ର ଏକ ଥିଙ୍କ୍‌ଟ୍ୟାଙ୍କ୍‌ କହିଛି ଯେ ମିଲିଟାରି ହାର୍ଡେଓ୍ଵର ଆମଦାନି କରିବାରେ ଭାରତ ବିଶ୍ୱର ସର୍ବବୃହତ୍‌ ରାଷ୍ଟ୍ର ହୋଇଥିବା ବେଳେ ୨୦୦୪-୦୮ ତୁଳନାରେ ବିଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରମୁଖ ଯୁଦ୍ଧାସ୍ତ୍ର ଆମଦାନି ୧୧୧ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସରକାରୀ ତଥ୍ୟରୁ ଜଣାଯାଇଛି ଯେ ଗତ ୪ ବର୍ଷ ମଧ୍ୟରେ ଭାରତ ୨.୪୦ ଲକ୍ଷ କୋଟି ଟଙ୍କାର ୧୮୭ଟି ଚୁକ୍ତି କରିଛି।

ସମ୍ବନ୍ଧିତ ଖବର