ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି, ଉଭୟରେ ବିଜୟୀ ହେବା: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ଭାରତବାସୀ ଚୀନ୍‌ ବିପକ୍ଷରେ ଦୁଇଟି ସଂଗ୍ରାମରେ ଲଢ଼େଇ କରୁଛନ୍ତି- ଗୋଟିଏ ସୀମାନ୍ତରେ ଏବଂ ଅନ୍ୟଟି ସେଠାରୁ ଉତ୍ପତ୍ତି ହୋଇଥିବା ଭୂତାଣୁ ସହ। ଉଭୟ ଯୁଦ୍ଧରେ ଭାରତବାସୀ ବିଜୟମଣ୍ଡିତ ହେବେ।

ହିନ୍ଦୀରେ ଟୁଇଟ୍ କରି ସେ ଲେଖିଛନ୍ତି: ଆଜି ଆମେ ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି- ଭାରତ ଓ ଚୀନ୍ ସୀମାନ୍ତରେ ଏବଂ ଚୀନ୍‌ରୁ ଆସିଥିବା ଭୂତାଣୁ ବିପକ୍ଷରେ। ଆମର ୨୦ଜଣ ବୀର ଯବାନ ପଛଘୁଞ୍ଚା ଦେଲେନାହିଁ। ଆମେ ପଛଘୁଞ୍ଚା ଦେବାନାହିଁ ଏବଂ ଉଭୟ ଯୁଦ୍ଧ ଜିଣିବା।

ଟୁଇଟ୍ ସହ ଥିବା ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଦୁଇଟି ସୀମାନ୍ତରେ ଲଢୁଥିବା ଆମ ଡାକ୍ତର ଏବଂ ସୈନିକମାନଙ୍କୁ ସମଗ୍ର ଦେଶ ସହାୟତା କରୁଛି। ଏ ବିଷୟରେ ରାଜନୀତି ଅନାବଶ୍ୟକ।

Image Courtesy of Hindustan Times

ଏହାଛଡ଼ା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ଗତ କେଇଦିନ ହେବ କରୋନାଭାଇରସ୍ ପରୀକ୍ଷା ତିନିଗୁଣରୁ ଅଧିକ କରାଯାଇଛି। ଦୈନିକ ୧୮୦୦୦ ନମୁନା ପରୀକ୍ଷା ହେଉଛି। ପୂର୍ବରୁ ଦୈନିକ ୫୦୦୦ ପରୀକ୍ଷା ହେଉଥିଲା। ଏବେ ଲୋକେ କରୋନାଭାଇରସ୍ ପରୀକ୍ଷା କରାଇବାରେ କୌଣସି ଅସୁବିଧାରେ ସମ୍ମୁଖୀନ ହେବେନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତି ଘଣ୍ଟାରେ ଅମ୍ଳଜାନ ସ୍ତର ମାପିବାକୁ ଘରେ ଏକାନ୍ତବାସରେ ଥିବା କରୋନାଭାଇରସ୍ ରୋଗୀମାନଙ୍କୁ ପଲ୍ସ୍‌ ଅକ୍ସିମିଟର୍ ଯୋଗାଇ ଦିଆଯିବ। ଭଲ ହୋଇଯିବା ପରେ ସମ୍ପୃକ୍ତ ରୋଗୀ ସେ ପଲ୍ସ୍‌ ଅକ୍ସିମିଟର୍‌କୁ ସରକାରଙ୍କୁ ଫେରାଇ ଦେଇ ପାରିବେ।

ସମ୍ବନ୍ଧିତ ଖବର