ନୂଆଦିଲ୍ଲୀ: ଲୋକସଭାରୁ ନିଜର ସଦସ୍ୟତା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଟୁଇଟ୍ କରି ସେ କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ।
Sambad is now on WhatsApp
Join and get latest news updates delivered to you via WhatsApp
ସଦସ୍ୟ ପଦ ରଦ୍ଦ ହେବା ପରେ ରାହୁଲ ନିଜ ମା’ ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଛନ୍ତି । ତେବେ ଏହି ଆଲୋଚନାବେଳେ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
मैं भारत की आवाज़ के लिए लड़ रहा हूं।
मैं हर कीमत चुकाने को तैयार हूं।
— Rahul Gandhi (@RahulGandhi) March 24, 2023
ଏହା ପଛରେ ଷଡ଼ଯନ୍ତ୍ର ଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଦାବି କରିଛି ଯେ ରାହୁଲ ଗାନ୍ଧି ସରକାରଙ୍କୁ କଠୋର ପ୍ରଶ୍ନ ପଚାରୁଥିବାରୁ ତାଙ୍କୁ ଚୁପ୍ କରାଯାଉଛି। ଅନ୍ୟପକ୍ଷରେ ବିଜେପି ଏହି ପଦକ୍ଷେପକୁ ଆଇନ ସମ୍ମତ ବୋଲି କହିଛି। ତାଙ୍କ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାମଲାକୁ ବିଚାର କରି ଅଦାଲତ ରାୟ ଶୁଣାଇଛନ୍ତି। ସେ ସମଗ୍ର ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ବୋଲି ବିଜେପି ଦାବି କରିଛି ।
ସୂଚନାଯୋଗ୍ୟ ଯେ, ୨୦୧୯ର ଏକ ମାନହାନି ମାମଲାରେ ଗତକାଲି ସୁରଟର ଏକ କୋର୍ଟ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ଲୋକସଭା ସଚିବାଳୟ କେରଳର ତାଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡକୁ ଖାଲି ଘୋଷଣା କରିଛି। ନିର୍ବାଚନ ଆୟୋଗ ଏବେ ଏହି ଆସନରେ ଉପନିର୍ବାଚନ ଘୋଷଣା କରିପାରନ୍ତି। ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଏକ ମାସ ସମୟ ମିଳିବ।