ଶ୍ରୀଲଙ୍କା : ତୈଳବାହୀ ଜାହାଜରେ ନିଆଁ, ଜଣେ ମୃତ, ଉଦ୍ଧାର ହେଲେ ୨୨ ଜାହାଜ କର୍ମଚାରୀ

କଲମ୍ବୋ :  ଶ୍ରୀଲଙ୍କା ଉପକୂଳରେ ଥିବା ଏକ ତୈଳବାହୀ ଜାହାଜ ଏମଟି ନ୍ୟୁ ଡାଇମଣ୍ଡରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି । ଇତି ମଧ୍ୟରେ ଜାହଜରେ  ଫସିରହିଥିବା ୨୩ରୁ ୨୨ ଜଣ ଜାହାଜ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ  ବଏଲର ବିସ୍ଫୋରଣରେ ଜଣ ଜାହାଜ କର୍ମଚାରୀ ନିହତ ହୋଇଛନ୍ତି ।  ସେ ଫିଲିପାଇନ୍ସର ନାଗରିକ ବୋଲି ଜଣାପଡ଼ିଛି ।

ପାନାମାର ଏହି ଜାହାଜଟି ଉପସାଗରୀୟ ଅଞ୍ଚଳରୁ ତେଲ ଆଣି ଭାରତ ଅଭିମୁଖେ ଯାଉଥିଲା । ଏଥିରେ ପ୍ରାୟ ୨ ଲକ୍ଷ ଟନ ତେଲ ଥିଲା ଓ ଇଣ୍ଡିଆନ ଅଏଲ ପକ୍ଷରୁ ଏହି ତେଲ ମଗାଯାଉଥିଲା । ଏହି ଦୁର୍ଘଟଣା ଯୋଗୁଁ ସମୁଦ୍ରରେ ତୈଳ ନିର୍ଗତ ହେବା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ । କିନ୍ତୁ ଶ୍ରୀଲଙ୍କା ନୌସେନା ଓ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସବୁପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ଓ ଉକ୍ତ ଜାହାଜ ନିକଟରେ ଦୁଇଟି ଜାହାଜ ମୁତୟନ କରାଯାଇଛି ।

ଗତକାଲି ନିଆଁ ଲିଭାଇବା କାର୍ଯ୍ୟରେ କୋଷ୍ଟଗାର୍ଡର ଶୌର୍ଯ୍ୟ, ସାରଙ୍ଗ ଓ ସମୁଦ୍ର ପ୍ରହରାଦାର ଜାହାଜକୁ ମୁତୟନ କରାଯାଇଥିଲା । ଏହା ସହିତ ଏକ ଡୋନିଅର ବିମାନକୁ କାମରେ ଲଗାଯାଇଥିଲା । ଏହା ସହିତ ଶ୍ରୀଲଙ୍କା ପକ୍ଷରୁ ଜାହାଜ ଓ ହେଲିକାପ୍ଟରକୁ ନିୟୋଜନ କରାଯାଇଛି ।

ସମ୍ବନ୍ଧିତ ଖବର