ବ୍ୟାଙ୍କ ଠକେଇ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଲା ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବଡ଼ ବଡ଼ ବ୍ୟାଙ୍କ ଠକେଇ ସାମନାକୁ ଆସୁଥିବାରୁ କେତେକ ସତର୍କତା ଅବଲମ୍ବନ କରିବାକୁ ବ୍ୟାଙ୍କମାନଙ୍କୁ ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବିଶେଷକରି ବଡ଼ ପରିମାଣର ଅର୍ଥାତ ୨୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଋଣଗୁଡ଼ିକର ଅବସ୍ଥା ତଦାରଖ କରିବାକୁ ଜଣେ ସ୍ୱତନ୍ତ୍ର ଅଧିକାରୀ ବା ଏଜେନ୍ସି ନିଯୁକ୍ତି କରିବାକୁ ବ୍ୟାଙ୍କମାନଙ୍କୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଆହୁରି ମଧ୍ୟ ବଡ଼ ଆକାରର ଋଣ ପ୍ରଦାନ କରୁଥିବା ବ୍ୟାଙ୍କ ଗୋଷ୍ଠୀ ବା ବ୍ୟାଙ୍କିଙ୍ଗ କନସୋର୍ଟିୟମରେ ବ୍ୟାଙ୍କମାନଙ୍କ ସଂଖ୍ୟା ୭ରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ହଂକଂରେ ଥିବା ୪ ଭାରତୀୟ ବ୍ୟାଙ୍କ ଶାଖା (ଏସବିଆଇ, ଆକ୍ସିସ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ )କୁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଏକ ପତ୍ର ଲେଖି ବିଭିନ୍ନ ଖାତାକୁ ଭଲଭାବରେ ମିଳାଇ ଅନିୟମିତା ହୋଇଥିବା କାରବାରଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି ।
ନିରବ ମୋଦିଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧,୪୦୦ କୋଟି ଟଙ୍କାର ଠକେଇ, ରୋଟୋମାକ କମ୍ପାନିର ମାଲିକ ବିକ୍ରମ କୋଠାରୀଙ୍କ ଦ୍ୱାରା ୭-ବ୍ୟାଙ୍କ କନସୋର୍ଟିୟମକୁ ୩୬୦୦ କୋଟି ର ଠକେଇ ପରିପ୍ରେକ୍ଷୀରେ ସରକାରଙ୍କ ଉପରେ ଚାପ ବଢିଯାଇଛି । ଫଳରେ ଆଗକୁ ମଧ୍ୟ ଅର୍ଥମନ୍ତ୍ରାଳୟ ପକ୍ଷରୁ ବ୍ୟାଙ୍କ ଗୁଡିକରେ ଦେଖାଯାଉଥିବା ଠକେଇ ଓ ଅନାଦେୟ ଋଣ ପରିମାଣକୁ ନିୟନ୍ତ୍ରଣ କରିବାକୁ କେତେକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ଏପରିକି ଅଡିଟ୍‌ ସଂସ୍ଥାଗୁଡିକ ପାଇଁ କେତେକ ପଦକ୍ଷେପ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର