ବେଙ୍ଗାଲୁରୁ: ଭାରତର ତୃତୀୟ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ତିନିଦିନ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ନରମ ଅବତରଣ ପାଇଁ ପ୍ରସ୍ତୁତ ହେଉଛି। ରବିବାର ସକାଳେ ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ) ସଫଳତାର ସହ ସମ୍ପାଦନ କରାଯାଇଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂଚନା ଦେଇଛି। ଏହାପରେ ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ କରାଯିବ ଏବଂ ଅଗଷ୍ଟ ୨୩ରେ ଏହା ଚନ୍ଦ୍ରରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଇସ୍ରୋ ‘ଏକ୍ସ’ (ଟ୍ବିଟର)ରେ ଲେଖିଛି ଯେ, ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ (ଗତିବେଗ ହ୍ରାସ)ରେ ସଫଳତାର ସହିତ ଏଲ୍‌ଏମ୍ କକ୍ଷପଥକୁ ୨୫ କିମି x ୧୩୪ କିମିକୁ ହ୍ରାସ କରାଯାଇଛି। ଏହାପରେ ଚନ୍ଦ୍ରଯାନର ଆଭ୍ୟନ୍ତରୀଣ ଯାଞ୍ଚ କରାଯିବ ଏବଂ ନିର୍ଦ୍ଦିଷ୍ଟ ଅବତରଣ ସ୍ଥାନରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ଅପରାହ୍ଣ ପ୍ରାୟ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆକଳନ କରାଯାଇଛି।

Advertisment

ଚନ୍ଦ୍ରଯାନ-୩ର ଏପର୍ଯ୍ୟନ୍ତ ଯାତ୍ରା
ଜୁଲାଇ ୬: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଜୁଲାଇ ୧୪ରେ ଇସ୍ରୋ ଚନ୍ଦ୍ରଯାନ-୩ ମିସନ ଆରମ୍ଭ କରିବ ବୋଲି ଘୋଷଣା କରିଥିଲା।
ଜୁଲାଇ ୭: ଚନ୍ଦ୍ରଯାନ-୩ର ସମସ୍ତ ବୈଦ୍ୟୁତିକ ପରୀକ୍ଷା ସଫଳତାର ସହିତ ସମାପ୍ତ ହେଲା।
ଜୁଲାଇ ୧୧: ଏକ ୨୪ ଘଣ୍ଟିଆ ‘ଲଞ୍ଚ ରିହର୍ସାଲ୍’ ସଫଳତାର ସହିତ କରାଯାଇଥିଲା।
ଜୁଲାଇ ୧୪: ଇସ୍ରୋର ଏଲ୍‌ଭିଏମ୍‌୩ ଏମ୍୪ ଚନ୍ଦ୍ରଯାନ-୩କୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କଲା।
ଜୁଲାଇ ୧୫: ବେଙ୍ଗାଲୁରୁରେ ମିସନର ପ୍ରଥମ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳ ହେଲା। ଏହି ମହାକାଶଯାନ ୪୧,୭୬୨ କିମି x ୧୭୩ କିମି କକ୍ଷପଥରେ ପହଞ୍ଚିଲା।
ଜୁଲାଇ ୧୭: ଦ୍ୱିତୀୟ କକ୍ଷପଥ ବୃଦ୍ଧି ମାନିଉଭର୍ ଚନ୍ଦ୍ରଯାନ-୩କୁ ୪୧,୬୦୩ କିମି x ୨୨୬ କିମି ପୃଥିବୀ-ବନ୍ଧିତ କକ୍ଷପଥରେ ରଖିଲା।
ଜୁଲାଇ ୨୨: ଚତୁର୍ଥ କକ୍ଷପଥ ବୃଦ୍ଧି ମାନିଉଭର୍ ବା ପୃଥିବୀ ବନ୍ଧିତ ପେରିଜି ଫାୟାରିଂ ଦ୍ବାରା ମହାକାଶଯାନକୁ ୭୧,୩୫୧ କିମି x ୨୩୩ କିମି କକ୍ଷପଥରେ ସଫଳତାର ସହ ସ୍ଥାନିତ ।
ଜୁଲାଇ ୨୫: ଅନ୍ୟ ଏକ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳତାର ସହିତ କରାଯାଇଥିଲା।
ଅଗଷ୍ଟ ୧: ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହାସଲ ସ୍ବରୂପ, ଚନ୍ଦ୍ରଯାନ-୩ ଏକ ୨୮୮ କିମି x ୩,୬୯,୩୨୮ କିମି ଟ୍ରାନ୍ସଲୁନାର୍ କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୫: ମହାକାଶଯାନ ୧୬୪ କିମି x ୧୮,୦୭୪ କିମି ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୬: ମହାକାଶଯାନର ଚନ୍ଦ୍ର-ବନ୍ଧିତ କକ୍ଷପଥକୁ ୧୭୦ କିମି x ୪,୩୧୩ କିମିକୁ ହ୍ରାସ କରାଗଲା।
ଅଗଷ୍ଟ ୯: ଅନ୍ୟ ଏକ ମାନିଉଭର୍ କରାଯାଇଥିଲା ଯାହାଦ୍ବାରା ମହାକାଶଯାନ ୧୭୪ କିମି x ୧୪୩୭ କିମି କକ୍ଷପଥକୁ ଖସି ଆସିଥିଲା।
ଅଗଷ୍ଟ ୧୪: ପ୍ରାୟ ବୃତ୍ତାକାର ୧୫୧ କିମି x ୧୭୯ କିମି କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କଲା।
ଅଗଷ୍ଟ ୧୬: ଫାୟାରିଂ ପରେ ମହାକାଶଯାନ ୧୫୩ କିମି x ୧୬୩ କିମି କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୧୭: ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞା ରୋଭରକୁ ନେଇ ଲ୍ୟାଣ୍ଡିଂ ମଡ୍ୟୁଲ୍ ଏହାର ପ୍ରବୃତ୍ତି ପ୍ରଣାଳୀ (ପ୍ରପଲ୍‌ସନ ସିଷ୍ଟମ୍‌)ରୁ ଅଲଗା ହୋଇଥିଲା।
ଅଗଷ୍ଟ ୧୮: ମହାକାଶଯାନ ସଫଳତାର ସହିତ ଏକ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ ପ୍ରକ୍ରିୟା) ସମାପ୍ତ କଲା ଯାହାଦ୍ବାରା ଏହାର କକ୍ଷପଥ ୧୧୩ କିମି x ୧୫୭ କିମିକୁ ହ୍ରାସ ପାଇଲା। ଡିବୁଷ୍ଟିଂ ହେଉଛି ଗତି ମନ୍ଥର କରିବାର ଏକ ପ୍ରକ୍ରିୟା ଯେଉଁଥିରେ ଏହାର ଚନ୍ଦ୍ରଠାରୁ ନିକଟତମ ଦୂରତା ୩୦ କିମି ଏବଂ ଦୂରତମ ଦୂରତା ୧୦୦ କିମି ରହିବ।
ଅଗଷ୍ଟ ୨୦: ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ କରାଯାଇ ଏହାର ଏଲ୍‌ଏମ୍‌ କକ୍ଷପଥକୁ ୨୫ କିମି x ୧୩୪ କିମିକୁ ହ୍ରାସ କରାଗଲା। ଯଦି ସବୁକିଛି ଠିକ୍‌ଠାକ୍‌ ଚ‌ାଲେ ତେବେ ଯୋଜନା ଅନୁଯାୟୀ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ମେରୁରେ ୨୩ ତାରିଖ ଦିନ ନିର୍ଦ୍ଦିଷ୍ଟ ସ୍ଥାନରେ ନରମ ଅବତରଣ କରିବ।