ରାହୁଲଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ୍‌ଶୀଘ୍ର

ଖୁବ୍‌ଶୀଘ୍ର ଭେଟିବେ ବରିଷ୍ଠ କଂଗ୍ରେସ ନେତା, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେବେ

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେବାପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିଥିଲେ। କିନ୍ତୁ ଅନେକ ବରି‌ଷ୍ଠ ନେତା ଏବଂ କଂଗ୍ରେସ କର୍ମୀମାନଙ୍କ ଅନୁରୋଧ କ୍ରମେ ରାହୁଲ୍‌ ଏବେ ଥୟ ଧରିଛନ୍ତି । ହେ‌ଲେ ଏହା ବେଶୀଦିନ ନୁହେଁ। ଆସନ୍ତା ୨-୩ ମାସ ମଧ୍ୟରେ ଏବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ କୁହାଯାଇଥିଲା।

ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ କଂଗ୍ରେସର କିଛି ବରିଷ୍ଠ ନେତାଗଣ ରାହୁଲଙ୍କୁ ଚଳିତ ସପ୍ତାହରେ ସା‌କ୍ଷାତ କରିବେ ବୋଲି ଯୋଜନା କରିଛନ୍ତି। କଂଗ୍ରେସର ସ୍ଥିତି ଏବେ ଖୁବ୍‌ ସଙ୍କଟଜନକ ରହିଛି। ତେଣୁ କଂ‌ଗ୍ରେସ ଅଧ୍ୟକ୍ଷ ରାହୁଲ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ବ ନିଅନ୍ତୁ ବୋଲି ବରିଷ୍ଠ ନେତାମା‌ନେ ଚାହିଛନ୍ତି। ଦଳ ପାଇଁ ଅନ୍ୟ କୌଣସି ବିକଳ୍ପ ନାହାନ୍ତି। ରାହୁଲ ହିଁ ଅଧ୍ୟକ୍ଷ ଭାବେ ରୁହନ୍ତୁ ବୋଲି ବରିଷ୍ଠ ନେତାମାନେ ଚାହିଛନ୍ତି।

ରାହୁଲଙ୍କୁ ସାକ୍ଷାତ ଅବସର‌ରେ ବରିଷ୍ଠ ନେତାମାନେ ତାଙ୍କୁ ‘ମିଳିତ ନେତୃତ୍ବ ମଡେଲ୍‌’ର ପ୍ରସ୍ତାବ ଦେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ମିଳିତ ନେତୃତ୍ବକୁ ଅଗ୍ରାଧିକାର ଦିଆଯିବା ଉଚିତ୍‌ ଏବଂ ରାହୁଲଙ୍କ ଉପରେ ଚାପ କମାଇବାପାଇଁ ଅଧିକ ସଂଖ୍ୟାରେ କାର୍ଯ୍ୟକାରିଣୀ ଅଧ୍ୟକ୍ଷକଙ୍କୁ ନିଯୁକ୍ତି ପାଇଁ ବିଚାରବିମର୍ଶ ଜାରି ରହିଥିବା ଜଣାପଡ଼ିଛି। ଅନ୍ୟପ‌କ୍ଷେ ଏକ ସଂସଦୀୟ ବୋର୍ଡ ଗଠନ ପାଇଁ ପ୍ରୟାସ ଜ‌ାରି ରହିଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦ୍ବାରା ଏହି ବୋର୍ଡ ଗଠନ ହେବ ଏବଂ ଏଥିରେ ରାହୁଲଙ୍କ ସମେତ ୧୦ ଜଣ ସଦସ୍ୟ ରହିବେ।

ସୂଚନାନୁଯାୟୀ ବରିଷ୍ଠ ନେତା ଏକେ ଆଣ୍ଟୋନି ଏବଂ ଅହମଦ ପଟେଲ ଚଳିତ ସପ୍ତାହରେ ରାହୁଲଙ୍କୁ ସାକ୍ଷାତ କରିବେ। ଆସନ୍ତା କିଛି ଦିନ ମଧ୍ୟରେ ସବୁ ଅନିଶ୍ଚିତତାର ଅନ୍ତ ଘଟିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ସେହିପରି ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି, ଚଳିତ ଲୋକସଭା ନିର୍ବାଚନରେ ରାହୁଲଙ୍କୁ କିଛି ଲୋକ ଭୁଲ୍‌ ପରାମର୍ଶ ଦେଇଥିଲେ। ଯାହାଦ୍ବାରା କଂଗ୍ରେସ ଏଭଳି ଶୋଚନୀୟ ଭ‌ାବେ ପରାଜୟ ବରଣ କରିଲା।

ସମ୍ବନ୍ଧିତ ଖବର