‘ଅନ୍ତିମ ଉପହାର’: ସନ୍ତାନ ଜନ୍ମ କଲେ କୋଭିଡ୍-୧୯ ବିଷୟରେ ସତର୍କ ସୂଚନା ଦେଇଥିବା ଊହାନ୍ ଡାକ୍ତରଙ୍କ ବିଧବା ପତ୍ନୀ

ନୂଆଦିଲ୍ଲୀ: ଗତବର୍ଷ ଚୀନ୍‌ରେ କୋଭିଡ୍-୧୯ ବିଷୟରେ ସତର୍କ ସୂଚନା ଦେଇଥିବା ଊହାନ୍‌ର ୩୪ ବର୍ଷିୟ ଡାକ୍ତର ଲି ୱେନ୍‌ଲିଙ୍ଗ୍‌ଙ୍କ ବିଧବା ପତ୍ନୀ ସେମାନଙ୍କର ପିଲା ଜନ୍ମ କରିଛନ୍ତି। ଫେବ୍ରୁଆରି ମାସରେ ଡାକ୍ତର ଲି’ଙ୍କର କରୋନାଭାଇରସ୍ ଯୋଗୁଁ ଦେହାନ୍ତ ହେବା ସମୟରେ ତାଙ୍କ ପତ୍ନୀ ଫୁ ଜୁଏଜିଇ ସେମାନଙ୍କର ଦ୍ବିତୀୟ ପିଲାକୁ ଗର୍ଭରେ ଧାରଣ କରିଥିଲେ।

ପତ୍ନୀ ଫୁ ଜୁଏଜିଇ ଇନ୍‌ଷ୍ଟାଣ୍ଟ୍ ମେସେଜିଙ୍ଗ୍ ଆପ୍‌ ‘ଉଇଚାଟ୍’ରେ ନବଜାତ ପୁଅର ଫଟୋ ସେୟାର୍ କରିଛନ୍ତି। ନବଜାତକ ତାଙ୍କ ଦିବଂଗତ ପତିଙ୍କର ‘ଅନ୍ତିମ ଉପହାର’ ବୋଲି ସେଥିରେ ସେ ବର୍ଣ୍ଣନା କରିଛନ୍ତି।

ଗୁଜବ ପ୍ରଚାର କରୁଛନ୍ତି ଦର୍ଶାଇ ଚୀନ୍ ସରକାରୀ କର୍ତ୍ତୃପକ୍ଷମାନେ ଊହାନ୍‌ର କେନ୍ଦ୍ରୀୟ ଡାକ୍ତରଖାନାରେ ଚକ୍ଷୁ ବିଶେଷଜ୍ଞ ଭାବେ କାମ କରୁଥିବା ଲି’ଙ୍କୁ ଗିରଫ କରିଥିଲେ। କିନ୍ତୁ, ସେ କୋଭିଡ୍-୧୯ ବିଷୟରେ ସତର୍କ ସୂଚନା ଦେବାକୁ ଉଦ୍ୟମ କରୁଥିଲେ, ଯାହା ଅବିଳମ୍ବେ ମହାମାରୀ ପାଲଟିଗଲା।

Image Courtesy of Daily Mail

ଗୋଟାଏ ନୂଆ ତଥା ଅଜଣା ରୋଗରେ ପୀଡ଼ିତ ହୋଇ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କର ପରୀକ୍ଷା ‌ରିପୋର୍ଟ ଡିସେମ୍ବର ୩୦ ତାରିଖରେ କେମିତି ଡାକ୍ତର ଲି’ଙ୍କ ଦୃଷ୍ଟିରେ ପଡ଼ିଯାଇଥିଲା। ଏକଥା ସେ ଘରୋଇ ଉଇଚାଟ୍‌ରେ ନିଜର ଅନ୍ୟ ୭ଜଣ ବନ୍ଧୁଙ୍କୁ ସେୟାର କରିଥିଲେ। ଲେଖିଥିଲେ ପରୀକ୍ଷା ଫଳର ରିପୋର୍ଟ ‘ସାର୍ସ’ ମହାମାରୀ ଭଳି ମନେହେଉଛି। କିନ୍ତୁ, ବନ୍ଧୁମାନଙ୍କୁ ସତର୍କ କରାଇବାକୁ ସେ ସେୟାର୍‌ କରିଥିବା ପୋଷ୍ଟ୍‌ଟି ଭାଇରାଲ୍ ହୋଇଯାଇଥିଲା।

ଗୁଜବ ପ୍ରଚାର ଅଭିଯୋଗରେ ଡାକ୍ତର ଲି’ ଏବଂ ତାଙ୍କ ବନ୍ଧୁମାନଙ୍କୁ ଊହାନ ପୁଲିସ ଡକାଇ ବଳପୂର୍ବକ ସ୍ବକାରୋକ୍ତି ସ୍ବାକ୍ଷର କରାଇନେଇଥିଲେ। ମୁକୁଳିବା ପରେ ଡାକ୍ତର ଲି’ ଡାକ୍ତରଖାନାକୁ ଯାଇ କାର୍ଯ୍ୟରେ ଯୋ‌ଗଦେଇଥିଲେ। କିନ୍ତୁ, ସେଠାରେ ସେ କୋଭିଡ୍-୧୯ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ।

ଜାନୁଆରି ୧୨ ତାରିଖ ଦିନ ଡାକ୍ତର ଲି’ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ଦିନମାନଙ୍କରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଚାଲିଥିଲା। ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର