ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ଆବେଦନ ଉପରେ ଚୂଡ଼ାନ୍ତ ଶୁଣାଣି ମେ’ ୫ରେ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଆସନ୍ତା ମେ ୫ ତାରଖରେ  ଚୂଡ଼ାନ୍ତ ଶୁଣାଣି କରିବେ ବୋଲି ବୁଧବାର କହିଛନ୍ତି। ଦେଶଦ୍ରୋହ ଅପରାଧ ପାଇଁ ଉଦ୍ଦିଷ୍ଟ ଥିବା ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୪ (କ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଆଗତ ମାମଲାକୁ ଚୂଡ଼ାନ୍ତ ଶୁଣାଣି ପାଇଁ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ବୁଧବାର ଏହି ଆବେଦନର ଶୁଣାଣି ପାଇଁ ମେ ୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ଆଜିର ଶୁଣାଣି କାଳରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସରକାର ଏ ପ୍ରସଙ୍ଗରେ ନିଜର ଲିଖିତ ଉତ୍ତର ସହିତ ପ୍ରସ୍ତୁତ ଅଛନ୍ତି ଏବଂ ଆବଶ୍ୟକ ସଂଶୋଧନ କରିବା ପରେ ଦୁଇ ଦିନ ମଧ୍ୟରେ ସେ ଏହାକୁ ସୁପ୍ରିମ କୋର୍ଟଙ୍କ ନିକଟରେ ଦାଖଲ କରିବେ।

ତେବେ, ଖଣ୍ଡପୀଠ ଚଳିତ ସପ୍ତାହ ଶେଷ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ  କହିଛନ୍ତି ଏବଂ ଏହା ପରେ ଆବେଦନକାରୀମାନେ କେନ୍ଦ୍ରର ଉତ୍ତର ଉପରେ ସେମାନଙ୍କର କାଉଣ୍ଟର ଦାଖଲ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

ଯେହେତୁ ଏହି ପ୍ରସଙ୍ଗରେ ଏକାଧିକ ଆବେଦନ ସୁପ୍ରିମ କୋର୍ଟରେ ବିଚାରାଧୀନ ଅଛି, ଆବେଦନକାରୀମାନେ ସହମତ ହୋଇଥିଲେ ଯେ ବରିଷ୍ଠ ଆଡଭୋକେଟ୍‌ କପିଲ ସିବଲ ସେମାନଙ୍କ ପାଇଁ ଯୁକ୍ତିର ନେତୃତ୍ୱ ନେବେ। ଅନ୍ୟପକ୍ଷରେ ସିବଲ କହିଛନ୍ତି ଯେ ସେ ବିଭିନ୍ନ ଆବେଦନ ଉପରେ ନଜର ପକାଇବେ ଏବଂ ସେହି ଅନୁଯାୟୀ ନିଜର ଉତ୍ତର ଦାଖଲ କରିବେ। ଏହି ମାମଲାର ଶୁଣାଣିରେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ମଧ୍ୟ ଏହି ମାମଲାରେ ଅଦାଲତଙ୍କୁ ସାହାଯ୍ୟ କରିବେ।

ସମ୍ବନ୍ଧିତ ଖବର