ବିବାଦର ଅନ୍ତ ହେଉ, ଅଯୋଧ୍ୟା ମାମଲାରେ ରିଭ୍ୟୁ ପିଟିସନ୍‌ ଦାଖଲ ହେବନାହିଁ: ସୁନ୍ନି ବୋର୍ଡ

ନୂଆଦିଲ୍ଲୀ : ସୁପ୍ରିିମ କାର୍ଟ ରାୟକୁ ଆମେ ଗ୍ରହଣ କରୁଛୁ। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ଓ ବିଦ୍ବେଷ ସୃଷ୍ଟି କରିଥିବା ବିବାଦର ଅନ୍ତ ଘଟିଛି। ଆଶା କରୁଛୁ ଧର୍ମ ନାମରେ ଆଉ ହିଂସା ଓ ବିବାଦ ହେବ ନାହିଁ। ଧର୍ମକୁ ନେଇ ରାଜନୀତି ମଧ୍ୟ ବନ୍ଦ ହେଉ। ଆମକୁ ଶାନ୍ତି ଦରକାର। ଏବେ ସାଂପ୍ରଦାୟିକ ସଦଭାବର ଯୁଗ ଆରମ୍ଭ ହେବ। ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାରେ ଆଜି ସୁପ୍ରିମ କୋର୍ଟ ଦେଇଥିବା ସର୍ବସମ୍ମତ ରାୟ ନେଇ ଆଜି ସବୁ ମହଲରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।

ରିଭ୍ୟୁ ପିଟିସନ୍‌ ଦାଖଲ ହେବନାହିଁ: ସୁନ୍ନି ବୋର୍ଡ

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟକୁ ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱକଫ୍‌ ବୋର୍ଡ ସ୍ବାଗତ କରିଛି। ବୋର୍ଡ ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି ସୁପ୍ରିମ୍‌ କୋର୍ଟର ରାୟକୁ ୟୁପି ସୁନ୍ନି ସେଣ୍ଟ୍ରାଲ ୱକଫ୍‌ ବୋର୍ଡ ଚ୍ୟାଲେଂଜ କରିବ ନାହିଁ। ରାୟ ନେଇ କୌଣସି ରିଭ୍ୟୁ ପିଟିସନ୍‌ ଦାଏର ଏକ ଭୁଲ୍‌ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ସିହା ଧର୍ମଗୁରୁ ମୌଲାନା ଜବାବଦ ମଧ୍ୟ ସୁପ୍ରିମ୍‌ କୋର୍ଟ ରାୟକୁ ସ୍ବାଗତ କରିଛନ୍ତି ଏବଂ ଏହି ରାୟ ଦ୍ବାରା ଦୀର୍ଘ ବର୍ଷର ବିବାଦର ଅବସାନ ଘଟିଛି। ତେବେ ସୁପ୍ରିମ୍‌ କୋର୍ଟ ରାୟ ଦେବା ପରେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଅସନ୍ତୋଷ ବ୍ୟକ୍ତ କରିଛି। ରାୟ ପ୍ରକାଶ ପରେ ଦିଲ୍ଲୀରେ ବୋର୍ଡର ଆଇନଜୀବୀ ଜଫରୟାବ ଜିଲାନି କହିଛନ୍ତି, ଅଯୋଧ୍ୟା ରାୟରେ ଅନେକ ବିରୋଧାଭାଷ ରହିଛି। ଏହି ରାୟରେ ଆମେ ସନ୍ତୁଷ୍ଟ ନଥିବାରୁ ଏହାର ସମୀକ୍ଷା କରିବୁ। ଯାହା କିଛି ଆଇନଗତ ମାର୍ଗ ରହିଛି ତାହାକୁ ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ତେବେ ପିଟିଆଇକୁ ପରେ ସେ ଫୋନ୍ ଯୋଗେ ସ୍ପଷ୍ଟ କରିଛନ୍ତି, ଏଆଇଏମ୍‌ପିଏଲ୍‌ବି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସେ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ଏଆଇଏମ୍‌ପିଏଲ୍‌ବିର ସେକ୍ରେଟାରି ଭାବେ ରଖିଛନ୍ତି, ସୁନ୍ନି ୱାକଫ୍ ବୋର୍ଡର ଆଇନଜୀବୀ ଭାବେ ନୁହେଁ ବୋଲି କହିଛନ୍ତି। କୌଣସି ପ୍ରତିବାଦ ନକରି ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ବୋର୍ଡ ବିବାଦୀୟ ଜମି ପାଇଁ କରୁଥିବା ଦାବିରୁ ଓହରି ଯିବ ବୋଲି ଗତମାସରେ କହିଥିଲା।

ସମ୍ବନ୍ଧିତ ଖବର