ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ପ୍ରଶ୍ନ ପାଇଁ ଅର୍ଥ ନେବା ଅଭିଯୋଗ ଆଣିଛନ୍ତି। ନିଶିକାନ୍ତ କହିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ବ୍ୟବସାୟିକ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ମହୁଆ ଏକ ଅପରାଧିକ ଷଡ଼୍ଯନ୍ତ୍ର କରିଥିଲେ। ସେ ସଂସଦରେ ପ୍ରଶ୍ନ ପଚାରୁଥିଲେ ଯାହାକି ୨୦୦୫ ଡିସେମ୍ବର ୧୨ରେ ହୋଇଥିବା ପ୍ରଶ୍ନ ପାଇଁ ଅର୍ଥ ମାମଲାକୁ ମନେ ପକାଇ ଦେଉଛି।
୨.ମହୁଆ ମୈତ୍ରଙ୍କ ବିରୋଧରେ ଦୁବେ କରିଥିବା ଅଭିଯୋଗକୁ ବାଚସ୍ପତି ଓମ୍ ବିର୍ଲା ଏଥିକ୍ସ କମିଟି ନିକଟକୁ ପଠାଇ ଦେଇଛନ୍ତି। ଉକ୍ତ କମିଟିର ଅଧ୍ୟକ୍ଷ ବିଜେପି ସାଂସଦ ବିନୋଦ କୁମାର ସୋନକର ରହିଛନ୍ତି।
ମହୁଆ ଏହାପରେ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। ତାଙ୍କୁ ବଦନାମ କରିବା ଅଭିଯୋଗ ମହୁଆ ଆଣିଛନ୍ତି। ବ୍ୟକ୍ତିଗତ ଏବଂ ରାଜନୈତିକ ଆକ୍ରୋଶ ରଖି ଦୁବେ ଏବଂ ଦେହାଦ୍ରାଇ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ମହୁଆ ଅଭିଯୋଗ କରିଛନ୍ତି।
ମହୁଆ ପଠାଇଥିବା ନୋଟିସରେ ଦର୍ଶାଇଛନ୍ତି ଯେ ଦେହାଦ୍ରାଇଙ୍କ ସହିତ ତାଙ୍କର ବହୁଦିନ ଧରି ନିବିଡ଼ ସଂପର୍କ ଥିଲା। କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଯୋଗୁ ତାହା ଖରାପ ହୋଇ କ୍ରୋଧ ଏବଂ ତିକ୍ତତାରେ ପରିଣତ ହୋଇଥିଲା। ଦେହାଦ୍ରାଇ ତାଙ୍କୁ ଖରାପ ଏବଂ ଅଶ୍ଳୀଳ ବାର୍ତ୍ତା ପଠାଇବା ନେଇ ଧମକ ଦେଇଥିଲେ। ଏପରିକି ଥରେ ତାଙ୍କ ସରକାରୀ ବଙ୍ଗଳାକୁ ଅନୁପ୍ରବେଶ କରି କିଛି ବ୍ୟକ୍ତିଗତ ଜିନିଷ ଚୋରି କରିଥିଲେ। ୨୦୨୩ ମାର୍ଚ୍ଚ ୨୫ ଏବଂ ୨୦୨୩ ସେପ୍ଟେମ୍ବର ୨୩ରେ ଏ ନେଇ ଦୁଇଥର ଦେହାଦ୍ରାଇଙ୍କ ବିରୋଧରେ ଅଭିଯୋଗ କରାଯାଇଛି।
ତେବେ ହୀରାନନ୍ଦାନୀ ଗୁରୁବାର ଯେତେବେଳେ ସଂସଦର ଏଥିକ୍ସ କମିଟି ନିକଟରେ ଏକ ସତ୍ୟପାଠ ଦାଖଲ କଲେ ସେତେବେଳେ ଘଟଣା ନୂଆ ମୋଡ଼ ନେଲା। ଏଥିରେ ସେ ଦାବି କରିଥିଲେ ଯେ ମହୁଆ ତାଙ୍କର ସଂସଦୀୟ ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ ତାଙ୍କୁ ଦେଇଥିଲେ ଯାହାଫଳରେ ସେ ତାଙ୍କ ତରଫରୁ ପ୍ରଶ୍ନ ପୋଷ୍ଟ କରିପାରିବେ। ପୂର୍ବରୁ ହୀରାନନ୍ଦାନୀ ଗ୍ରୁପ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା ଏବଂ ତାଙ୍କ ଗ୍ରୁପ ରାଜନୀତିରେ ସାମିଲ ନାହିଁ ବୋଲି କୁହାଯାଇଥିଲା।
ହୀରାନନ୍ଦାନୀ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି, ମହୁଆ ଯୋଜନାବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଆଦାନି ପ୍ରସଙ୍ଗ ଉଠାଉଥିଲେ।
କିନ୍ତୁ ମହୁଆ ହୀରାନନ୍ଦାନୀଙ୍କ ଏହି ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ଏବଂ ଚିଠିର ବିଷୟବସ୍ତୁ ଏକ ପରିହାସ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଉକ୍ତ ଚିଠିର ବିଶ୍ବସନୀୟତା ଉପରେ ସେ ପୋଷ୍ଟ କରିଛନ୍ତି। ଏହା ଏକ ଶ୍ବେତପତ୍ର ଏବଂ ଅଫିସିଆଲ ଲେଟରହେଲ୍ କିମ୍ବା ନୋଟାରି ସ୍ବୀକୃତ ନୁହେଁ। ଏଭଳି ଚିଠି ବଳପୂର୍ବକ ଲେଖାଇ ନିଆଯାଇଥିବ ବୋଲି ସେ କହିଛନ୍ତି।
ମହୁଆ ଅଭିଯୋଗ ଆଣିଛନ୍ତି ଯେ ପିଏମ୍ଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତରବରିଆ ଭାବେ ଏହି କାର୍ଯ୍ୟ ପାଇଁ ଦର୍ଶନ ଏବଂ ତାଙ୍କ ବାପାଙ୍କୁ ବାଧ୍ୟ କରାଯାଇଛି। ଚିଠିରେ ଦସ୍ତଖତ କରିବା ପାଇଁ ସେମାନଙ୍କୁ ୨୦ ମିନିଟ୍ର ସମୟ ଦିଆଯାଇଛି। ଏପରିକି ସେମାନଙ୍କ ବ୍ୟବସାୟ ବନ୍ଦ କରି ଦିଆଯିବାର ଧମକ ମଧ୍ୟ ଦିଆଯାଇଛି। ପରେ ଏକ ପୋଷ୍ଟ୍ କରି ମହୁଆ କହିଛନ୍ତି ସିବିଆଇ କିମ୍ବା ଏଥିକ୍ସ କମିଟି ଯେତବେଳେ ଡାକିବେ ସେ ପ୍ରଶ୍ନର ଜବାବ ଦେବେ।
ଶୁକ୍ରବାର ଏଥିକ୍ସ କମିଟି ଅଧ୍ୟକ୍ଷ ସୋନକର କହିଛନ୍ତି, ହୀରାନନ୍ଦାନୀଙ୍କ ଚିଠି ହସ୍ତଗତ ହୋଇଛି। ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ଏହାର ଅନୁଧ୍ୟାନ କରାଯିବ ଏବଂ ଆବଶ୍ୟକ ହେଲେ ମହୁଆଙ୍କୁ ଡକାଯିବ।
ପ୍ରଶ୍ନ ପାଇଁ ଅର୍ଥ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଶୁଣାଣି ବେଳେ ମହୁଆଙ୍କ ଆଇନଜୀବୀ ତାଙ୍କର ଦ୍ବୈତ ସ୍ବାର୍ଥ ପାଇଁ ଏଥିରୁ ଓହରିଯାଇଛନ୍ତି। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖରେ ହେବ।
ଟିଏମ୍ସି ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରୁ ନିଜକୁ ଦୂରେଇ ରଖିଛି। ଦଳର କୌଣସି ନେତା ଏ ବାବଦରେ ବିବୃତି ନରଖିବାକୁ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।