ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏମଡିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ୱାସିଂଟନ/ ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ୱାସିଂଟନ ଡିସିଠାରେ ସାକ୍ଷାତ କରିଛନ୍ତି । ଆଜି ୱାସିଂଟନ ଡିସିଠାରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ ଏବଂ ପରିଚାଳନା ନିର୍ଦ୍ଦେଶିକାଙ୍କ ସହିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅନନ୍ତ ଭି.ନାଗେଶ୍ୱରନ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆର୍ଥିକ ବ୍ୟାପାର ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ମଧ୍ୟ ଉପସ୍ଥିତ ଥିଲେ । ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ସହ ସମ୍ପର୍କୀତ ପ୍ରସଙ୍ଗ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା ।

କୋଭିଡ-୧୯ ବିଶ୍ୱ ମହାମାରୀ ସମ୍ପର୍କୀତ ଆହ୍ୱାନ ସତ୍ତ୍ୱେ ଭାରତ ଦୃତ ବିକାଶ ପଥରେ ଆଗେଇଥିବା କଥା ଶ୍ରୀମତୀ ଜର୍ଜିଭା ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଏକ ପ୍ରଭାବଶାଳୀ ଆର୍ଥିକ ନୀତି ଗ୍ରହଣ କରିଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ପାଇଁ ସେ ଭାରତର ପ୍ରଶଂସା କରିଥିଲେ ।

ଭାରତର ଟିକାକରଣ କାର୍ଯ୍ୟକ୍ରମର ପ୍ରଶଂସା କରି ପଡୋଶୀ ତଥା କୋଭିଡ ସଂକ୍ରମଣରେ ସମ୍ବେଦନଶୀଳ ରାଷ୍ଟ୍ରଗୁଡିକୁ ଭାରତ ସହାୟତା ଦେଇଥିବାରୁ ସେ ଭାରତର ପ୍ରଶଂସା କରିଥିଲେ । ସ୍ୱତନ୍ତ୍ର ଭାବରେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସମୟରେ ଭାରତ ଏହି ଦେଶକୁ ସାହାଯ୍ୟ କରିଥିବା ଉଲ୍ଲେଖ କରିଥିଲେ । ଶ୍ରୀଲଙ୍କାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତୁରନ୍ତ ସହାୟତା କରିବା ଆବଶ୍ୟକ ବୋଲି ଶ୍ରୀମତୀ ସୀତାରମଣ ମତ ଦେଇଥିଲେ । ଶ୍ରୀଲଙ୍କା ସହିତ ନିରବଚ୍ଛିନ୍ନ ଭାବରେ ସମ୍ପର୍କରେ ରହିବା ପାଇଁ ପରିଚାଳନା ନିର୍ଦ୍ଦେଶିକା ପ୍ରତିଶ୍ରୁତି ଦେଇଥିଲେ । ଉଭୟେ ଆଲୋଚନା ସମୟରେ ବିଶ୍ୱରେ ବର୍ତ୍ତମାନର ଭୌଗୋଳିକ-ରାଜନୀତିକ ସ୍ଥିତି ପ୍ରସଙ୍ଗ ଉପସ୍ଥାପନ କରି ବିଶ୍ୱ ଅର୍ଥନୀତି ଏବଂ ଶକ୍ତି କ୍ଷେତ୍ର ଉପରେ ଏହାର କୁପ୍ରଭାବ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ।

ଭାରତର ଆର୍ଥିକ ନୀତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଥିଲେ ଯେ – ବ୍ୟାଙ୍କ ଗୁଡିକ ଦେବାଳିଆ ହେବା ପରିସ୍ଥିତିକୁ ଆସିଯାଉଥିବାରୁ ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ ଏବଂ ସମାଜର ସମ୍ବେଦନଶୀଳ ଗୋଷ୍ଠୀଙ୍କ ନିମିତ୍ତ ଆର୍ଥିକ ନୀତିରେ ଢାଞ୍ଚାଗତ ପରିବର୍ତ୍ତନ ଭାରତ କରୁଛି । ବିଭିନ୍ନ ଆର୍ଥିକ କ୍ଷେତ୍ରର କର୍ତ୍ତୃପକ୍ଷମାନେ ଏହି କାର୍ଯ୍ୟରେ ଦେଶକୁ ସହଯୋଗ କରୁଥିବା ସେ ଦର୍ଶାଇଥିଲେ ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, କୋଭିଡ ସମସ୍ୟା ସତ୍ତ୍ୱେ ଉତ୍ତମ ପାଣିପାଗ ଏବଂ ବିପୁଳ କୃଷି ଉତ୍ପାଦନ ଦେଶକୁ ସହାୟକ ହୋଇଛି । ଅନ୍ୟାନ୍ୟ ରପ୍ତାନୀ ସହ କୃଷି ରପ୍ତାନୀ ମଧ୍ୟ ବୃଦ୍ଧି ପାଇଛି । ବିଶ୍ୱର ଯୋଗାଣ ଶୃଙ୍ଖଳକୁ ସହାୟତା କରିବା ଭଳି ଏକ ଅର୍ଥନୀତିରେ ଭାରତ ସମୃଦ୍ଧ ହେବାକୁ ଯାଉଥିବା ଶ୍ରୀମତୀ ସୀତାରମଣ ଦର୍ଶାଇଥିଲେ ।

ସମ୍ବନ୍ଧିତ ଖବର