ନୂଆଦିଲ୍ଲୀ : ଦେଶରେ ଚାଲିଥିବା ସବୁ ପ୍ରକାର ଶିଳ୍ପ କାର୍ଯ୍ୟକଳାପ ଯଥା ଶିଳ୍ପ କରିଡର, ଲଜିଷ୍ଟିକ୍ସ ପାର୍କ, ଫାର୍ମା ହବ ଆଦିର ମ୍ୟାପିଂ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିତି ଆୟୋଗକୁ ପରାମର୍ଶ ଦେଇଛନ୍ତି। ଶିଳ୍ପ କାର୍ଯ୍ୟକଳାପଗୁଡ଼ିକର ମ୍ୟାପିଂ କରାଗଲେ ଦେଶରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ସେଗୁଡ଼ିକୁ ସାମିଲ କରାଯାଇ ପାରିବ।
ଏଥିସହିତ ଶିଳ୍ପ କରିଡର ଗୁଡ଼ିକ ସହ ଦେଶର ବନ୍ଦର ଗୁଡ଼ିକୁ ଯେଭଳି ଯୋଡ଼ାଯିବ ସେଥିପାଇଁ ଜାହାଜ ଚଳାଚଳ ମନ୍ତ୍ରାଳୟକୁ ତାହା ଅନୁଧ୍ୟାନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଆପେକ୍ସ ମନିଟରିଂ ଅଥରିଟି ଫର୍ ଦି ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ କରିଡର ଡେଭଲପମେଣ୍ଟ ପ୍ରୋଗ୍ରାମର ପ୍ରଥମ ବୈଠକରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ଶିଳ୍ପ କରିଡର, ମାଲ ପରିବହନ କରିଡର, ପ୍ରତିରକ୍ଷା କରିଡର, ମ୍ୟାନୁଫାକଚରିଂ ଜୋନ, ବୟନଶିଳ୍ପ ପାର୍କ, ଲଜିଷ୍ଟିକ୍ସ ପାର୍ମ, ମେଡିକାଲ ଏବଂ ଫାର୍ମା ହବ୍ ଆଦିର ମ୍ୟାପିଂ ପାଇଁ ସେ କହିଛନ୍ତି। ଏସବୁର ମ୍ୟାପିଂ କରିବା ପରେ କେଉଁଗୁଡ଼ିକୁ ପିଏମ୍ ଗତି ଶକ୍ତି ଅଧୀନକୁ ଅଣାଯିବାର ସମ୍ଭାବନା ରହିଛି ସେ ସଂପର୍କରେ ଅବଗତ କରାଇବା ଲାଗି ଅର୍ଥମନ୍ତ୍ରୀ କହିଛନ୍ତି। ଅକ୍ଟୋବର ଶେଷ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ନିତି ଆୟୋଗକୁ କହିଛନ୍ତି। ବୈଠକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, ରେଳ ଓ ଟେଲିଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଏବଂ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ସମେତ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।