ନୂଆଦିଲ୍ଲୀ :  ଦିଲ୍ଲୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଛି।  ଉକ୍ତ ଅଧିକାରୀଙ୍କ ନାଁ ନବଜୋତ ସିଂହ। ବୟସ ୫୨।  କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ‌ ସେ ଉପ ସଚିବ ଭାବେ କାମ କରୁଥିଲେ। ପତ୍ନୀ ସନ୍ଦୀପଙ୍କ ସହ ଗତକାଲି ସେ ବଙ୍ଗଳା ସାହେବ ଗୁରୁଦ୍ବାରା ଯାଇଥିଲେ। ସେଠାରୁ ସେମାନେ ଆର୍‌କେ ପୁରମ ସ୍ଥିତ କର୍ଣ୍ଣାଟକ ଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ। ଦୁହେଁ ଘରକୁ ଫେରିବା ବାଟରେ ଦୁର୍ଘଟଣା ହୋଇଥିଲା। ସନ୍ଦୀପଙ୍କ ଅନୁଯାୟୀ ବିଏମ୍‌ଡବ୍ଲ୍ୟୁ ଖୁବ୍‌ ଦ୍ରୁତ ଗତିରେ ଆସୁଥିବାବେଳେ ତାଙ୍କ ବାଇକ୍‌କୁ ପିଟି ‌ଦେଇଥିଲା।  ଏହାପରେ ନବଜୋତ ଏବଂ ସନ୍ଦୀପଙ୍କୁ ଏକ ଭ୍ୟାନରେ ହସ୍ପିଟାଲ୍‌ ନିଆଯାଇଥିଲା। ବିଏମ୍‌ଡବ୍ଲ୍ୟୁ ଚଳାଉଥିବା ମହିଳା  ଗଗନଦୀପ ସେମାନଙ୍କ ସହ ଥିଲେ।  ସନ୍ଦୀପ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ସେ ବିଏମ୍‌ଡବ୍ଲ୍ୟୁ ଡ୍ରାଇଭର ଗଗନପ୍ରିତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ ନେବାପାଇଁ କହିଥିଲେ। କିନ୍ତୁ ସେ ଭ୍ୟାନ ଡ୍ରାଇଭରଙ୍କୁ ଦୁର୍ଘଟଣା ସ୍ଥଳଠାରୁ ୧୯ କିମି ଦୂର ଜିଟିବି ନଗରରେ ନ୍ୟୁ ଲାଇଫ୍‌ ହସ୍ପିଟାଲ୍‌ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ।   ଦୁର୍ଘଟଣାରେ ନବଜୋତଙ୍କର ମୃତ୍ୟୁ ହୋଇଥିବାବେଳେ ସନ୍ଦୀପ ଗୁରୁତର ଅଛନ୍ତି। 

Advertisment

ଅଭିଯୁକ୍ତ ବିଏମଡବ୍ଲ୍ୟୁ ଡ୍ରାଇଭର ଗଗନପ୍ରିତ କୌର ଗିରଫ ‌ହୋଇଛନ୍ତି। ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ହସ୍ପିଟାଲ୍‌ ଯାଇଥିବାବେଳେ ସେଠାରୁ ତାଙ୍କୁ ଗିରଫ କରାଯାଇଛି।   ଦୁର୍ଘଟଣା ସମୟରେ ତାଙ୍କ ସହ  ତାଙ୍କ ସ୍ବାମୀ ପରୀକ୍ଷିତ ମକ୍କଡ଼ କାର୍‌ରେ ଥିଲେ।  ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍‌ ମେଟ୍ରୋ ଷ୍ଟେସନ୍‌ ନିକଟରେ ଏହି ଦୁର୍ଘଟଣା ହୋଇଛି।  ପୁଲିସ ଅନୁଯାୟୀ ଗଗନପ୍ରିତ ଯେଉଁ ହସ୍ପିଟାଲ୍‌କୁ ସନ୍ଦୀପ ଏବଂ ତାଙ୍କ ସ୍ବାମୀଙ୍କୁ ନେଇଥିଲେ ସେହି ହସ୍ପିଟାଲ୍‌ର ସହ ପ୍ରତିଷ୍ଠାତା ହେଉଛନ୍ତି ତାଙ୍କ ବାପା ।  ଏଦିଗରେ ଅଧିକ ତଦନ୍ତ ଜାରି ରହିଛି।  ପୁଲିସ ସନ୍ଦେହ କରୁଛି ଯେ ପ୍ରମାଣରେ ହେରଫେର କରିବାପାଇଁ ଏବଂ ମେଡିକାଲ ରିପୋର୍ଟରେ ହେ‌ରଫେର କରିବାପାଇଁ ଗଗନପ୍ରିତ ସେମାନଙ୍କୁ ୧୯ କିମି ଦୂର ହସ୍ପିଟାଲକୁ ଆଣିଥିଲେ।