ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗ : ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ/କଟକ : ରାଜ୍ୟର ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ନିଷ୍କ୍ରିୟତା ଅଭିଯୋଗ କରି ଦାୟର ରିଟ୍ ପିଟିସନର ସୁପ୍ରିମକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ନୋଟିସ୍ ଜାରି କରିଛନ୍ତି। କଟକ ମଙ୍ଗଳାବାଗ ବଢେଇସାହିର ଆଇନଜୀବୀ କିରଣବାଳା ମହାରଣାଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଦାୟର ଆବେଦନରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସାରାରାଜ୍ୟରେ ଅଦାଲତର ସ୍ଵାଭାବିକ କାର୍ଯ୍ୟ ହୋଇ ପାରୁ ନାହିଁ। ଅଦାଲତ ବନ୍ଦ୍ ଥିବାରୁ ଓକିଲାତି ପେସାରୁ ରୋଜଗାର କରି ଚଳୁଥିବା ଆଇନଜୀବୀଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। ବିଶେଷକରି ଯୁବ ଆଇନଜୀବୀଙ୍କ ଆର୍ଥିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି। ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସ୍ଵତନ୍ତ୍ର କମିଟି ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗତ ଏପ୍ରିଲ୍ ୧ର ବୈଠକରେ  ନିଷ୍ପତି ଗ୍ରହଣ କରିଥିଲା। ନିର୍ଦ୍ଧାରିତ ମାନଦଣ୍ଡ ପୂରାଣ କରୁଥିବା ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଲାଗି ଘୋଷଣା କରାଯାଇଥିଲା। ଏହାପରେ ନିର୍ଦ୍ଧାରିତ ଫର୍ମରେ ଆଇନଜୀବୀମାନେ ଆର୍ଥିକ ସହାୟତା ଲାଗି ଆବେଦନ କରିଥିଲେ। ମେ ୨୫ ଆବେଦନର ଶେଷ ତାରିଖ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଆଇନଜୀବୀମାନେ ଏଥିଲାଗି ଆବେଦନ କରିଥିଲେ। ଏହା ଭିତରେ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଆଇନଜୀବୀଙ୍କୁ କୌଣସି ଆର୍ଥିକ ସହାୟତା ମିଳି ପାରିନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏବେ ସ୍ଥିତି ଅଧିକ ଗୁରୁତର ହୋଇଥିବା ବେଳେ ତୁରନ୍ତ ଆଇନଜୀବୀଙ୍କୁ ପ୍ରଣୟନ କରାଯାଇଥିବା ଯୋଜନା ଅନୁସାରେ ଆର୍ଥିକ ସହାୟତା ପ୍ରଦାନ ଲାଗି ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଡ଼ା ଓ ଆଇନଜୀବୀ ଦିବ୍ୟ ଆନନ୍ଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର