ରାଜନୈତିକ ଦଳ ପାଇଁ ଆଶ୍ୱସ୍ତି : ଢାଲ ସାଜିଛି ଅର୍ଥ ବିଲ୍‌ ସଂଶୋଧନ

ବିଦେଶରୁ ଗୃହୀତ ପାଣ୍ଠିର ଯାଞ୍ଚ ହେବନି

ନୂଆଦିଲ୍ଲୀ: ଗତ ସପ୍ତାହରେ ଲୋକସଭାରେ କୌଣସି ଆଲୋଚନା ନହୋଇ ମଧ୍ୟ ଏପରି ଏକ ବିଲ୍‌ ପାରିତ ହୋଇଯାଇଛି ଯାହା ରାଜନୈତିକ ଦଳଗୁଡ଼ିକର ପାଣ୍ଠି ଯୋଗାଡ଼ ପାଇଁ ଆଶ୍ୱସ୍ତି ଆଣିଛି। ଅର୍ଥ ବିଲ୍‌-୨୦୧୮ର ସଂଶୋଧନ ଅନ୍ତର୍ଗତ ୨୦୧୬ ଅର୍ଥବିଲ୍‌ରେ ପାଣ୍ଠିଯୋଗାଣ ସମ୍ପର୍କିତ ବିଦେଶୀ ପାଣ୍ଠି ପ୍ରୋତ୍ସାହନ ନିୟାମକ ଆଇନ ବା ଏଫ୍‌ସିଆର୍‌ଏ-୨୦୧୦ର ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଅଣାଯାଇଛି। ଏପରିକି ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ ଦୀର୍ଘ ୪୨ ବର୍ଷ ହେଲା(୧୯୭୬ ପରଠାରୁ) ରାଜନୈତିକ ଦଳଗୁଡ଼ିକ ବିଦେଶରୁ ଗ୍ରହଣ କରିଥିବା ପାଣ୍ଠିର ଯାଞ୍ଚ କରାଯିବନି। ବିଶେଷ କରି ବିଦେଶରୁ ପାଣ୍ଠି ସଂଗ୍ରହ ମାମଲାରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ୨୦୧୪ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ପାଇଁ ଏହା ଢାଲ ସଦୃଶ ହୋଇଛି। ଅପରପକ୍ଷେ, ସରକାର କୌଣସି ଆଲୋଚନା ନକରି ଏପରି ଗୋପନ ଭାବେ ସଂଶୋଧନ ପାରିତ କରିଛନ୍ତି ବୋଲି ଅଭିଯୋଗ ଆଣି ରିଭୋଲ୍ୟୁସନାରି ସୋସାଲିଷ୍ଟ ପାର୍ଟି(ଆର୍‌ଏସ୍‌ପି) ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନଙ୍କ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ପ୍ରତିବାଦ ଜଣାଇଛନ୍ତି।
ସଂସଦର ଚଳିତ ଅଧିବେଶନରେ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଲଗାତାର ହୋହଲ୍ଲା ଓ ହଙ୍ଗାମା ଜାରି ରହିଥିବା ବେଳେ ଗତ ୧୪ ତାରିଖରେ କୌଣସି ଆଲୋଚନା ନହୋଇ ମଧ୍ୟ ଅର୍ଥ ବିଲ୍‌-୨୦୧୮ରେ ୨୧ଟି ସଂଶୋଧନ ପାରିତ ହୋଇଯାଇଛି।

ସେଥି ମଧ୍ୟରେ ପ୍ରମୁଖ ରହିଥିବା ଏଫ୍‌ସିଆର୍‌ଏ-୨୦୧୦ର ସଂଶୋଧନ ଦ୍ୱାରା ୧୯୭୬ମସିହା ଠାରୁ ରାଜନୈତିକ ଦଳଗୁଡ଼ିକ ବିଦେଶରୁ ଗ୍ରହଣ କରିଥିବା ପାଣ୍ଠି ଉପରେ ଆଉ କେହି ପ୍ରଶ୍ନ ଉଠାଇପାରିବେ ନାହିଁ।
ଉଲ୍ଲେଖ ଥାଉ କି, ୧୯୭୬ ମସିହାରେ ଏଫ୍‌ସିଆର୍‌ଏ ପ୍ରଥମେ ସଂସଦରେ ପାରିତ ହେବା ସହ ସେହି ବର୍ଷ ଅଗଷ୍ଟ ୫ରୁ ଲାଗୁ କରାଯାଇଥିଲା। ତେବେ ପରେ ୨୦୧୦ରେ ଏହାକୁ ହଟାଇ ନିଆଯିବା ସହ ଆବଶ୍ୟକ ପରିବର୍ତ୍ତନ ଅଣାଯାଇ ତାହା ବଦଳରେ ଏଫ୍‌ସିଆର୍‌ଏ-୨୦୧୦ ପାରିତ ହୋଇଥିଲା। ଏପରିକି ୨୦୧୦ ସେପ୍ଟେମ୍ବର ୨୬ରୁ ଏହା ଲାଗୁ ହୋଇଥିଲା। ଫଳରେ ତାହା ପରଠାରୁ ରାଜନୈତିକ ଦଳଗୁଡ଼ିକ ବିଦେଶରୁ ସଂଗ୍ରହ କରିଥିବା ପାଣ୍ଠିର ଯାଞ୍ଚ ପାଇଁ ଏଥିରେ ବ୍ୟବସ୍ଥା ରହିଥିଲା। ଏହି ଆଇନ ବଳବତ୍ତର ହେବା ପରେ ଏହାର ଉଲ୍ଲଂଘନ କରି ଲଣ୍ଡନ ସ୍ଥିତ ବେଦାନ୍ତ କମ୍ପାନି ଠାରୁ ଅର୍ଥ ସଂଗ୍ରହ କରିଥିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ୨୦୧୪ ମସିହାରେ ପ୍ରମୁଖ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଏହି ଏଫ୍‌ସିଆର୍‌ଏ-୨୦୧୦ ଆଇନର ସଦ୍ୟ ସଂଶୋଧନ ଦ୍ୱାରା ରାଜନୈତିକ ଦଳଗୁଡ଼ିକ ବିଗତ ୪୨ ବର୍ଷ ଧରି ବିଦେଶରୁ ସଂଗ୍ରହ କରିଥିବା ପାଣ୍ଠିର କୌଣସି ତଦାରଖ କରାଯିବନାହିଁ। କେନ୍ଦ୍ର ସରକାର ନିଜକୁ ସୁହାଇଲା ପରି ଏପରି ସଂଶୋଧନ ଆଣିଛନ୍ତି ବୋଲି ସମାଲୋଚନା ହେବା ସହ ବିଜେପି ଓ କଂଗ୍ରେସର ସଲାସୁତୁରାରେ ଏଭଳି ହୋଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର