ସେନାକୁ ଜରୁରୀକାଳୀନ ଆର୍ଥିକ କ୍ଷମତା, ସରକାରଙ୍କ ଅନୁମତି ବିନା ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କିଣିପାରିବ

ନୂଆଦିଲ୍ଲୀ : ଲଦାଖରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଯେକୌଣସି ସମୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା କରୁଛି ଭାରତ । ଆହୁରି ମଧ୍ୟ ପଶ୍ଚିମ ପଟେ ଥିବା ପାକିସ୍ତାନ ପଟୁ ବରାବର ବିପଦ ଲାଗି ରହିଛି । ଏ ପରିସ୍ଥିତିରେ ଆଜି ବସିଥିବା ପ୍ରତିରକ୍ଷା ଖରିଦ ପରିଷଦ (ଡିଏସି)ର ବୈଠକରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ସେନାକୁ ୩୦୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଏହି କ୍ଷମତାର ଉପଯୋଗ କରି ସେନା ନିଜର ଆବଶ୍ୟକତାମତେ ସାମଗ୍ରୀ ଖରିଦ କରିପାରିବ ଓ ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ହେବ ନାହିଁ ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକ ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ସେନାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଏହା ଫଳରେ ସେନା ଦ୍ୱାରା ଜରୁରୀ ହାତହତିଆର ଓ ସାମଗ୍ରୀ କମ ସମୟରେ କିଣାଯାଇପାରିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ସେନା ମାତ୍ର ୬ ମାସ ମଧ୍ୟରେ ପ୍ରତିରକ୍ଷା ଅର୍ଡର ଦେଇପାରିବ ଓ ପ୍ରାୟ ବର୍ଷକ ମଧ୍ୟରେ ଡେଲିଭରୀ ପାଇପାରିବ ।

ସରକାରଙ୍କ ଏହି ପଦକ୍ଷେପ ପରେ ସେନାର ବିଭିନ୍ନ ଆବଶ୍ୟକତା ମେଣ୍ଟାଇବା ଦିଗରେ ଦେଖାଯାଉଥିବା ଅମଲାତାନ୍ତ୍ରିକ ପ୍ରତିବନ୍ଧକକୁ ଏଡ଼ାଯାଇପାରିବ ।

ସମ୍ବନ୍ଧିତ ଖବର