ମର୍ସେଡିଜ ଗାଡ଼ି ସହ ବିଳାସପୂର୍ଣ୍ଣ ଆବାସ; ଜାଣନ୍ତୁ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମିଳିବ କେଉଁ ସବୁ ସୁବିଧା

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ? ଆଉ ମାତ୍ର କିଛି ସମୟ ମଧ୍ୟ ତାହା ଜଣାପଡ଼ିବ। ଆଜି ସଂସଦ ଗୃହରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। ତେବେ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ କେଉଁ ସବୁ ସୁବିଧା ମିଳିବ ଆସନ୍ତୁ ଜାଣିବା।

ରାଷ୍ଟ୍ରପତିଙ୍କ ଦରମା କେତେ ଏବଂ ତାଙ୍କୁ କେଉଁ ସୁବିଧା ମିଳିବ?

୧. ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୧.୫୦ ଲକ୍ଷ ଟଙ୍କା ଦରମା ମିଳୁଥିଲା। କିନ୍ତୁ ୨୦୧୮ରେ ଦରମା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେଣୁ ଆଜି ଯେଉଁ ପ୍ରାର୍ଥୀ ରାଷ୍ଟ୍ରପତି ହେବେ ତାଙ୍କୁ ପ୍ରତି ମାସରେ ୫ଲକ୍ଷ ଟଙ୍କା ଦରମା ମିଳିବ। ଏହା ବ୍ୟତୀତ ରାଷ୍ଟ୍ରପତିଙ୍କୁ ମାଗଣା ଚିକିତ୍ସା, ଟେଲିଫୋନ୍ ବିଲ୍, ଗୃହ, ବିଦ୍ୟୁତ୍ ପାଇଁ ଅନେକ ଭତ୍ତା ମଧ୍ୟ ମିଳିବ।

୨. ରାଷ୍ଟ୍ରପତିଙ୍କ ଯାତାୟାତ ପାଇଁ ତାଙ୍କୁ ମର୍ସିଡିଜ୍-ବେଞ୍ଜ୍ ଏସ ୬୦୦ ପୁଲମ୍ୟାନ ଗାର୍ଡ ଗାଡି ଦିଆଯିବ। ଏହା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୮୬ଜଣିଆ ସ୍ୱତନ୍ତ୍ର ଅଙ୍ଗରକ୍ଷୀ ମୁତୟନ କରାଯି‌ବେ, ଯାହାଙ୍କୁ ‘ପ୍ରେସିଡେନସିଆଲ ବଡିଗାର୍ଡ’ କୁହାଯାଏ।

୩ . ଯେତେବେଳେ ରାଷ୍ଟ୍ରପତି ଅବସର ନେବେ, ସେତେବେଳେ ତାଙ୍କୁ ୧.୫ ଲକ୍ଷ ଟଙ୍କା ପେନସନ ମିଳିିବ। ଏହା ସହିତ ଗୋଟିଏ ବଙ୍ଗଳା, ଦୁଇଟି ମୋବାଇଲ୍ ଫୋନ୍, ଲ୍ୟାଣ୍ଡଫୋନ୍ ଏବଂ ଆଜୀବନ ମାଗଣା ଚିକିତ୍ସା ସୁବିଧା ଯୋଗାଇଦିଆଯିବ।ଏଥିସହ ଜଣେ ସହଯୋଗୀଙ୍କ ତାଙ୍କୁ ମାଗଣା ଟ୍ରେନ୍ ଓ ବିମାନ ଯାତ୍ରାର ସୁବିଧା ବି ଦିଆଯାଇଥାଏ।

୪. ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରହିବେ। ଏହି ଭବନ ବ୍ରିଟିଶ ଭାଇସରାଏଙ୍କ ପାଇଁ ତିଆରି କରାଯାଇଥିଲା। ଏହାକୁ ତିଆରି କରିବାକୁ ୧୭ବର୍ଷ ଲାଗିଥିଲା। ୧୯୨୯ରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଏଡୱାର୍ଡ ଲୁଟିନ୍ସ ଏବଂ ହର୍ବର୍ଟ ବେକର ଏହି କୋଠାର ଡିଜାଇନ କରିଥିଲେ।

aajtak

୫. ୩୨୦ରେ ଏକରରେ ତିଆରି ହୋଇଥିବା ୪ମହଲା ବିଶିଷ୍ଟ ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ରହିଛି। ରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ପ୍ରାୟ ୪୫ଲକ୍ଷ ଇଟା ବ୍ୟବହାର କରାଯାଇଥିବା ବେଳେ ଭିତରେ ରାଷ୍ଟ୍ରପତି ଭବନ ବ୍ୟତୀତ ମୋଗଲ ଗାର୍ଡେନ ଏବଂ କର୍ମଚାରୀଙ୍କ ପାଇଁ ବାସଭବନ ମଧ୍ୟ ଅଛି।

କୁହାଯାଏ ଯେ ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ ଥ‌ାଏ। ରାଷ୍ଟ୍ରପତିଙ୍କର କିଛି କାମ ନଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ରାଷ୍ଟ୍ରପତିଙ୍କ ମୁଖ୍ୟ ଦାୟିତ୍ବ ହେଉଛି ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ଏବଂ ସମ୍ବିଧାନର ସୁରକ୍ଷା କରିବା। ତାଙ୍କ ଅନୁମୋଦନ ବିନା କୌଣସି ବିଲ୍ ପାସ୍ ହେବା ଅସମ୍ଭବ। ରାଷ୍ଟ୍ରପତି ଅର୍ଥ ବିଲ୍ ବ୍ୟତୀତ ଯେକୌଣସି ବିଲର ପୁନର୍ବିଚାର ପାଇଁ ପଠାଇ ପାରିବେ। ଏହା ସହ ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର।

ଜଣେ ଦୋଷୀ ସାବ୍ୟସ୍ତ ଅପରାଧୀର ଦଣ୍ଡକୁ ରାଷ୍ଟ୍ରପତି କ୍ଷମା, ସ୍ଥଗିତ କିମ୍ବା ହ୍ରାସ କରିପାରିବେ। ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଅପରାଧୀର ଦଣ୍ଡକୁ ମଧ୍ୟ କ୍ଷମା କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ଭାରତର ପ୍ରଧାନ ବିଚାରପତି, ରାଜ୍ୟ ହାଇକୋର୍ଟର ବିଚାରପତି, ରାଜ୍ୟପାଳ, ନିର୍ବାଚନ କମିଶନର ଏବଂ ରାଷ୍ଟ୍ରଦୂତଙ୍କ ନିଯୁକ୍ତି ରାଷ୍ଟ୍ରପତି କରନ୍ତି।

ସମ୍ବନ୍ଧିତ ଖବର