ବ୍ରାସିଲିଆ: ବିନା ଚାର୍ଜରରେ ଆଇଫୋନ୍ ବିକ୍ରୟ କରିବା ଆପଲ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି | ବାସ୍ତବରେ ବିନା ଚାର୍ଜରରେ ଆଇଫୋନ୍ ବିକ୍ରି କରିଥିବାରୁ ବ୍ରାଜିଲ ସରକାର ଏବେ ମୋବାଇଲ ଫୋନ ନିର୍ମାତା କମ୍ପାନି ଆପଲ ଉପରେ ଜରିମାନା ଲଗାଇଛନ୍ତି | ବ୍ରାଜିଲ କୋର୍ଟ ଏହି କମ୍ପାନି ଉପରେ ୨୦ ମିଲିୟନ୍ ଡଲାର୍ ବା ୧୬୪ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି | ତେବେ କେବଳ ଜରିମାନା ନୁହେଁ ବରଂ ଯେତିକି ଫୋନରେ ଚାର୍ଜର ଦେଇନାହିଁ ସେତିକି ଚାର୍ଜର ମାଗଣାରେ ପଠାଇବ | ବାସ୍ତବରେ, ଏହି ମାମଲାରେ ବ୍ରାଜିଲର ବିଚାରପତି ଆପଲର ଫୋନ ସହିତ ଚାର୍ଜର ନଦେବା ଘଟଣାକୁ ଗ୍ରାହକଙ୍କ ପ୍ରତି ଅସମ୍ମାନ ମନୋଭାବ ସହ ତୁଳନା କରିଛନ୍ତି | ଜଜ୍ ଏହା ମଧ୍ୟ କହିଛନ୍ତି ଯେ ଆଇଫୋନ୍ ସହିତ ଅତିରିକ୍ତ ଉତ୍ପାଦ କିଣିବାକୁ ଆପଲ୍ କମ୍ପାନି ଗ୍ରାହକଙ୍କୁ ବାଧ୍ୟ କରୁଛି | କମ୍ପାନି ଚାର୍ଜର ନ ଦେବାକୁ ନେଇ ଯୁକ୍ତି ଦର୍ଶାଇଥିଲା ଯେ, ପ୍ରଦୂଷଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ | କିନ୍ତୁ ବିଚାରପତି ଏହି ଯୁକ୍ତିରେ ସନ୍ତୁଷ୍ଟ ହୋଇନଥିଲେ |

Advertisment

ବ୍ରାଜିଲର ସାଓ ପାଉଲୋ ସିଭିଲ୍ କୋର୍ଟର ବିଚାରପତି ବ୍ରାଜିଲ୍ ଗ୍ରାହକ ସଂଘର ମକଦ୍ଦମା ଉପରେ ଏହି ରାୟ ଶୁଣାଇଛନ୍ତି | ବ୍ରାଜିଲ୍ ଗ୍ରାହକ ସଂଘର ଅଭିଯୋଗ ମୁତାବକ ଅକ୍ଟୋବର ୨୦୨୦ରେ ଆଇଫୋନ୍ ୧୨ ବିକ୍ରି ଆରମ୍ଭ ହେବା ସହିତ ଆପଲ୍ କମ୍ପାନି ଚାର୍ଜର ଯୋଗାଇବା ବନ୍ଦ କରିଦେଇଥିଲା | ଏହା ପରେ ମଧ୍ୟ ଆପଲ୍ ଆଇଫୋନ୍ ୧୩ ଏବଂ ଆଇଫୋନ୍ ୧୪ ସିରିଜରେ କମ୍ପାନି ଚାର୍ଜର ପ୍ରଦାନ କରିନଥିଲା | ତେବେ ଏହା ପ୍ରଥମ ଘଟଣା ନୁହେଁ | ଏହାପୂର୍ବରୁ ବ୍ରାଜିଲ ସରକାର ଆପଲ ଉପରେ ଅନେକ ଥର ଜରିମାନା ଲଗାଇଥିଲେ । ଗତ ସେପ୍ଟେମ୍ବରରେ ବ୍ରାଜିଲର ଏକ କୋର୍ଟ ଆପଲ ଉପରେ ୨.୫ ମିଲିୟନ୍ ଡଲାର(ଅଢେଇ କୋଟି ଟଙ୍କା) ଜରିମାନା ଲଗାଇଥିଲେ | ତେବେ ଏଥର ବ୍ରାଜିଲର କୋର୍ଟ କାଲିଫର୍ନିଆ ସ୍ଥିତ କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କମ୍ପାନି ଗତ ଦୁଇ ବର୍ଷ ମଧ୍ୟରେ ବ୍ରାଜିଲର ସମସ୍ତ ଆଇଫୋନ୍ ୧୨ ଏବଂ ଆଇଫୋନ୍ ୧୩ କ୍ରେତାଙ୍କୁ ମାଗଣାରେ ଚାର୍ଜର ପଠାଇବ।