ରାୟପୁର: ଏକ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାୟପୁର ପୁଲିସ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
‘ସର୍ଭ ବ୍ରାହ୍ମଣ ସମାଜ’ ଦ୍ୱାରା ଡିଡି ନଗର ପୁଲିସ୍ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯିବା ପରେ ପୁଲିସ ନନ୍ଦ କୁମାର ବାଗେଲ (୭୫)ଙ୍କ ବିରୋଧରେ ଶନିବାର ବିଳମ୍ବିତ ରାତିରେ ଏଫଆଇଆର ପଞ୍ଜିକରଣ କରିଥିଲା। ଏହି ମାମଲା ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩-ଏ (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ, ଭାଷାକୁ ନେଇ ଶତ୍ରୁତା ସୃଷ୍ଟି କରିବା) ଏବଂ ୫୦୫ (୧) (ଖ) (ଉଦ୍ଦେଶ୍ୟ ପୂର୍ଣ୍ଣ ଭାବେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଅନୁଯାୟୀ ପଞ୍ଜୀକୃତ ହୋଇଥିଲା।
ଅଭିଯୋଗକରୀ ତାଙ୍କ ଅଭିଯୋଗରେ ଦର୍ଶାଯାଇଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପିତା ବ୍ରାହ୍ମଣମାନଙ୍କୁ ବିଦେଶୀ ବୋଲି କହି ସେମାନଙ୍କୁ ବାସନ୍ଦ କରିବା ସହ ଗ୍ରାମରେ ପ୍ରବେଶ କରାଇ ନଦେବାକୁ କୁ ଲୋକଙ୍କୁ ନିବେଦନ କରଥିଲେ।
ଅନ୍ୟପକ୍ଷରେ ଏହି ଘଟଣାରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ କହିଛନ୍ତି ଯେ ଆଇନ ହେଉଛି ସର୍ବୋଚ୍ଚ ଏବଂ ତାଙ୍କ ସରକାର ସମସ୍ତଙ୍କ ପାଇଁ ଛିଡା ହୋଇଛନ୍ତି। ଏପରି ଅପମାନ ସୂଚକ ମନ୍ତବ୍ୟ ଦେଇଥିବା ବ୍ୟକ୍ତି ମୋର ପିତା ହୋଇଥିଲେ ମଧ୍ୟ କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି। ଛତିଶଗଡ଼ ସରକାର ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ, ଏବଂ ସେମାନଙ୍କର ଭାବନାକୁ ସମ୍ମାନ କରନ୍ତି। ମୋ ବାପା ନନ୍ଦ କୁମାର ବାଗେଲଙ୍କ ଏକ ନିର୍ଦ୍ଦିିଷ୍ଟ ସମ୍ପ୍ରଦାୟ ବିରୋଧରେ ଏପରି ମନ୍ତବ୍ୟ ସାମ୍ପ୍ରଦାୟିକ ଶାନ୍ତି ଭଙ୍ଗ କରିଛି। ତାଙ୍କ ବିବୃତ୍ତିରେ ମୁଁ ମଧ୍ୟ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।