ଆଗ୍ରା ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌, ଝିଅ କରୋନା ଆକ୍ରାନ୍ତ ଥିବା ଲୁଚାଇଥିଲେ

ମିଥ୍ୟା ଖବର ପ୍ରସାର କରିଥିବାରୁ ରାଜସ୍ଥାନରେ ସ୍ବାସ୍ଥ୍ୟ କର୍ମୀ ଗିରଫ

ଲକ୍ଷ୍ନୌ: ଆଗ୍ରାର ଜଣେ ମହିଳା କରୋନା ଭାଇରସ୍‌ ଆକ୍ରାନ୍ତ ଥିବା ଜାଣି ମଧ୍ୟ ତାଙ୍କ ବାପା ଏହାକୁ ଲୁଚାଇଥିବାରୁ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିବାରୁ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି। କରୋନା ଆକ୍ରାନ୍ତ ହୋଇଥିବା ମହିଳା ଆଗ୍ରା କ୍ୟାଣ୍ଟନମେଣ୍ଟ୍‌ ରେଲ୍‌ୱେ କଲୋନିରେ ରହନ୍ତି। ତେବେ ସେ ନିକଟରେ ଇଟାଲୀରୁ ହନିମୁନ୍‌ ସାରି ଫେରିଥିଲେ। ଉଭୟ ମହିଳା ଏବଂ ତାଙ୍କ ସ୍ବାମୀ ଭାରତ ଫେରିବାପରେ ତାଙ୍କ ସ୍ବାମୀଙ୍କ ଶରୀରରେ କରୋନା ଭାଇରସ୍‌ ପଜିଟିଭ୍‌ ଥିଲା।। ତାଙ୍କ ସ୍ବାମୀ ବେଙ୍ଗାଲୁରୁରେ କ୍ବାରେଣ୍ଟିନ୍‌ ବ୍ୟବସ୍ଥାରେ ରହି ଚିକିତ୍ସାଧୀନ ଥିଲେ। ମହିଳା ଜଣଙ୍କ ମଧ୍ୟ କରୋନା ସନ୍ଦିଗ୍ଧ ବୋଲି ଜଣାପଡ଼ିଥିଲା ଏବଂ ତାଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ତାଙ୍କୁ ନିରୀକ୍ଷଣରେ ରଖାଯାଇଥିଲା। କିନ୍ତୁ ସେ ବେଙ୍ଗାଲୁରୁରୁ ଆଗ୍ରା ପଳାଇଆସିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ରହିଥିଲେ। ପରେ ତାଙ୍କ ନମୁନା ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ଯେ ତାଙ୍କ ଶର‌ୀରରେ ଭାଇରସ୍‌ ପଜିଟିଭ୍‌ ଅଛି। ଏହାପରେ ଆଗ୍ରା ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରିବାପାଇଁ କହିଥିଲେ। କିନ୍ତୁ ମହିଳାଙ୍କ ବାପା ଏଥିରେ ରାଜି ହୋଇନଥିଲେ ଏବଂ ତାଙ୍କ ଝିଅ ବିଲକୁଲ୍‌ ଠିକ୍‌ଥିବା କହିଥିଲେ। ପରେ ଜିଲ୍ଲା ପାଳଙ୍କ ହସ୍ତକ୍ଷେପ ପରେ ଉକ୍ତ ମହିଳାଙ୍କୁ ଆଇସୋଲେସନ୍‌ ୱାର୍ଡକୁ ନିଆଯାଇଥିଲା। ଉକ୍ତ ମହିଳାଙ୍କ ବାପାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ପାଇଁ ଆଗ୍ରା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ସ୍ବାସ୍ଥ୍ୟ କର୍ମୀ କରୋନା ଭାଇରସ୍‌ ସଂକ୍ରାନ୍ତରେ ଏକ ମିଥ୍ୟା ଖବର ପ୍ରସାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଉକ୍ତ ସ୍ବା‌ସ୍ଥ୍ୟ କର୍ମୀ ଜଣଙ୍କ ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରସାର କରିଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି ।

ସମ୍ବନ୍ଧିତ ଖବର