ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦ୍ଘାଟନ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତିକୁ ନେଇ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ କେଜ୍ରିୱାଲ, ଖଡ଼ଗେ ଓ ଅନ୍ୟମାନେ ରାଜନୈତିକ ଫାଇଦା ହାସଲ ପାଇଁ ଜାତିଆଣ ମନ୍ତବ୍ୟ ଦେଇ ଦେଶର ସମ୍ପ୍ରଦାୟଗୁଡ଼ିକ ଭିତରେ ଶତ୍ରୁତା ଏବଂ ଭାରତ ସରକାରଙ୍କ ପ୍ରତି ଅବିଶ୍ବାସ ଭାବ ସୃଷ୍ଟି କରୁଛନ୍ତି। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ୧୨୧, ୧୫୩ଏ, ୫୦୫ ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଦଳରେ ରାଷ୍ଟ୍ରପତି ମୁର୍ମୁ ସଂସଦ ଭବନ ଉଦ୍ଘାଟନ କରନ୍ତୁ ବୋଲି ଦାବି କରି କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଅଗ୍ରାହ୍ୟ କରିବା ପରେ ଏହି ମାମଲା ରୁଜୁ କରାଯାଇଛି। ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦ୍ଘାଟନ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କୁ ଆଡ଼ କରି ଏହା କରାଯାଉଥିବାରୁ ୨୦ଟି ବିରୋଧୀ ଦଳ ଏହି ଉଦ୍ଘାଟନ ଉତ୍ସବକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ବୁଧବାର ୧୯ଟି ରାଜନୈତିକ ଦଳ କହିଥିଲେ ଯେ ପାର୍ଲାମେଣ୍ଟରୁ ଗଣତନ୍ତ୍ରର ଆତ୍ମାକୁ କାଢ଼ି ନିଆଯାଉଥିବାରୁ ନୂତନ ଭବନର କିଛି ମୂଲ୍ୟ ନାହିଁ।
କଂଗ୍ରେସ ମୁଖ୍ୟ ଖଡ଼ଗେ ନିକଟରେ ଅଭିଯୋଗ କରିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନୂତନ ସଂସଦ ଭବନ ଶିଳାନ୍ୟାସ ଉତ୍ସବକୁ ବିଜେପି ନିମନ୍ତ୍ରଣ କରି ନ ଥିଲା ଏବଂ ବର୍ତ୍ତମାନ ଏହାର ଉଦ୍ଘାଟନ ଉତ୍ସବକୁ ରାଷ୍ଟ୍ରପତି ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। କେନ୍ଦ୍ର ସରକାର ନିୟମିତ ଭାବେ ଉପଯୁକ୍ତ ସଂସଦୀୟ ବ୍ୟବହାରକୁ ଅଣଦେଖା କରୁଛନ୍ତି ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ପ୍ରତୀକାତ୍ମକତା (ଟୋକନିଜ୍ମ)ରେ ପରିଣତ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/36-23.jpg)