ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବିଜେପି ନେତା ସମ୍ବିତ ପାତ୍ରଙ୍କ ନାମରେ ଏତଲା ଦେଲେ କଂଗ୍ରେସ କର୍ମୀ

ରାୟପୁର: ବିଜେପିର ଜାତୀୟ ମୁଖପାତ୍ର ତଥା ୨୦୧୯ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରତିଦ୍ବନ୍ଦିତା କରିଥିବା ଡ଼.ସମ୍ବିତ ପାତ୍ରଙ୍କ ନାମରେ ଏତଲା ଦେଲେ ଯୁବ କଂଗ୍ରେସ କର୍ମୀ | ଛତିଶଗଡର ରାୟପୁର କୋଟୱାଲି ପୋଲିସ ଷ୍ଟେସନରେ ଯୁବ କଂଗ୍ରେସ ପକ୍ଷରୁ ସମ୍ବିତ ପାତ୍ରଙ୍କ ନାମରେ ଏତଲା ଦିଆଯାଇଛି | ପାତ୍ରଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ଜବାହାରଲାଲ ନେହେରୁଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଥିବାର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି | ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ଜବାହାରଲାଲ ନେହେରୁଙ୍କ ସହ କଂଗ୍ରେସ ଦଳ ବିରୋଧରେ ନିଜ ଟ୍ୱିଟରରେ ବିବାଦୀୟ ଟିପ୍ପଣୀ ଦେଇଥିବାର କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି |


ଏନଏସୟୁ ରାଜ୍ୟ ସଭାପତି ଆକାଶ ଶର୍ମା ଏବଂ ଯୁବ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଅଭିଯୋଗ କ୍ରମେ ପୁଲିସ ସମ୍ବିତଙ୍କ ବିରୋଧରେ ଆଇଟି ଆକ୍ଟ ଏବଂ ଆଇପିସି ଧାରାରେ ମାମଲା ଦାୟର କରିଛି। ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ପତ୍ରରେ ଲେଖାଯାଇଛି ଯେ ମେ ୧୦ ରେ ଶ୍ରୀ ପାତ୍ର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ରାଜୀବ ଗାନ୍ଧୀଙ୍କୁ କାଶ୍ମୀର ମାମଲା ,୧୯୮୪ ଶିଖ ବିରୋଧୀ ଦଙ୍ଗା ଏବଂ ବୋଫର୍ସ ସ୍କାମରେ ଜଡିତ କରି ମିଥ୍ୟା ଅଭିଯୋଗ କରିଥିଲେ।

ଯୁବ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଏତଲାରେ ଦର୍ଶାଇଛନ୍ତି ଯେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ କୌଣସି ଦୁର୍ନୀତି ଏବଂ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି। ଯେତେବେଳେ ଦେଶ କୋଭିଡ -19 ପରି ଚ୍ୟାଲେଞ୍ଜ ସହ ଲଢ଼ୁଛି, ଏହିପରି ଟ୍ୱିଟ୍ କରି ବିଭିନ୍ନ ଧାର୍ମିକ ଗୋଷ୍ଠୀ, ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ଭାଙ୍ଗିବା ପାଇଁ ଶ୍ରୀ ପାତ୍ର ଉଦ୍ୟମ କରୁଛନ୍ତି | ରାୟପୁର ଜିଲ୍ଲା ବରିଷ୍ଠ ପୋଲିସ ଅଧୀକ୍ଷକ ଆରିଫ ଶେଖ ସୋମବାର କହିଛନ୍ତି ଯେ ଯୁବ କଂଗ୍ରେସର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଅଭିଯୋଗ ଉପରେ ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର